ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଚାଲିବ ଗୁପ୍ତସେବା, ଶ୍ରୀଅଲାରନାଥରେ ଜମିବ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡିତ ମହାପ୍ରଭୁ । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଚାଲିବ ଗୁପ୍ତସେବା । ସ୍ନାନବେଦୀରେ ସ୍ନାନଯାତ୍ରା ସରିବା ପରେ ଅଣସର ଚାଳିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜ୍ବର ଲାଘବ ପାଇଁ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଛନ୍ତି ଦଇତାପତି । ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ, ସଂକୀର୍ତ୍ତନ ଆଦି ନିତୀ ବନ୍ଦ ରହିବା ସହ ଶ୍ୱେତ ପୁଷ୍ପରେ ମହାପ୍ରଭୁଙ୍କୁ ପୂଜା କରାଯିବ । ସେପଟେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିରରେ ଆଜିଠାରୁ ଦର୍ଶନ ଦେଉଛନ୍ତି ପଟି ଦିଅଁ । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମାଆ ଭୂବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଉଛନ୍ତି ।
ସେପଟେ ଆଜିଠାରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠରେ ଲାଗିଛି ଗହଳି । ୨୫ ତାରିଖ ଯାଏଁ ବ୍ରହ୍ମଗିରି ଅଲାରନାଥ ପୀଠରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ଯବସ୍ଥା, ସୁରକ୍ଷା ଓ ନୀତିକାନ୍ତି ନେଇ ସମସ୍ତ ବ୍ଯବସ୍ଥା କରାଯାଇଛି । ଶୃଙ୍ଖଳିତ ନୀତିକାନ୍ତି ସହ ଭକ୍ତ କିପରି ସୁବିଧାରେ ଅଲାରନାଥଙ୍କ ପ୍ରଶିଦ୍ଧ କ୍ଷୀରି ଭୋଗ ପାଇବେ, ସେଥିପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ପୁରୀରୁ ବ୍ରହ୍ମଗିରିକୁ ଗମନଗମନ ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ଲାନ୍ । ୩ଟି ପଏଣ୍ଟରେ ଟ୍ରାଫିକ କଟକଣା ସହ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।