ଛତିଶଗଡ଼ ପରେ ଆନ୍ଧ୍ରର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣ, ଏବେଠୁ ଦେଖା ଦେଲାଣି ଜଳ କଷ୍ଟ

Gajapati

ଗଜପତି: ଆନ୍ଧ୍ରର ଦାଦାଗିରି । ଶୁଖିଗଲା ଚିରସ୍ରୋତା ମହେନ୍ଦ୍ର ତନୟା । ଗଜପତି ଜିଲ୍ଲାରେ ଦେଖାଦେଇଛି ଜଳକଷ୍ଟ । ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ଯାହାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ ଓ ଯୋଗାଣ ବିଭାଗ । ମହେନ୍ଦ୍ର ତନୟା ନଦୀର ଉପରମୁଣ୍ଡରେ ଆନ୍ଧ୍ରର ବ୍ୟାରେଜ ନିର୍ମାଣ ଓ କେନାଲ ଯୋଗେ ଜଳ ଶୋଷଣ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ଗୋଟିଏ ପଟେ ଛତିଶଗଡ଼ ପାଇଁ ଓଡ଼ିଶାର ଜୀବନରେଖା ମହାନଦୀ ଶୁଖିଲା ପଡ଼ିଥିବା ବେଳେ ଆନ୍ଧ୍ର ଯୋଗୁଁ ମହେନ୍ଦ୍ର ତନୟା ଶୁଖି ଯାଇଛି । ନଦୀର ଉପର ମୁଣ୍ଡରେ ଆନ୍ଧ୍ର ବେଆଇନ ଭାବେ ବ୍ୟାରେଜ ଓ କେନାଲ ନିର୍ମାଣ କରି ପାଣି ଶୋଷୁଛି । ମହେନ୍ଦ୍ର ତନୟା ତଳମୁଣ୍ଡରେ ଜଳଧାରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପାରଳାଖେମୁଣ୍ଡି ଓ ଏହାର ଆଖପାଖ ଅଞ୍ଚଳରେ ଜଳ ସମସ୍ୟା ଦେଖାଦେଇଛି । ଚାଷ କାମ ମଧ୍ୟ ପ୍ରଭାବିତ ହୋଇଛି ।

ପ୍ରଥମେ ବିସ୍ତାରବାଦ ନୀତି ଧରି ଜମି ଜବରଦଖଲ, ଏବେ ଓଡ଼ିଶା ଜଳ ଉପରେ ନଜର ପକାଇଛି ପଡୋଶୀ ରାଜ୍ୟ । ବେଆଇନ ବ୍ୟାରେଜ ନିର୍ମାଣ ଯୋଗୁ ଶୁଖିଯାଇଛି ମହେନ୍ଦ୍ର ତନୟା । ଯାହାକୁ ନଜରରେ ରଖି ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ତତ୍ପର ହେବା ସହିତ ସହରର ସମସ୍ତ ନଳକୂଅ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିଛି । ଗ୍ରୀଷ୍ମଋତୁ ଯୋଗୁଁ ଏହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ଗଜପତି ଜିଲ୍ଲାବାସୀ ।

Leave a Reply