ହୋଟେଲ ରୁମରୁ ଅଙ୍ଗନବାଡି ଦିଦିଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଅଟକ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ସ୍ଥିତ ନିର୍ମଳା ପ୍ଲାଜା ହୋଟେଲର ଏକ ରୁମ ଭିତରୁ ଅଙ୍ଗନବାଡି ଦିଦିଙ୍କ ମୃତଦେହ ଉଦ୍ଧାର । ମୃତ ଅଙ୍ଗନବାଡ଼ି ଦିଦି ହେଲେ ପୁରୀ ଜିଲ୍ଲା ବୀରଭଦ୍ରପୁର ଅଞ୍ଚଳର । ଗତକାଲି ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଆସି ଓୟୋରେ ରୁମ୍ ନେଇ ରହିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସନ୍ଧ୍ୟାରେ ମୃତ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ରୁମ୍ ନେଇଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟାରେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ବିଳମ୍ବିତ ରାତିରେ ସେମାନେ ଏମକେସିଜି ମେଡ଼ିକାଲରେ ପହଞ୍ଚି ଥିଲେ ।

ଯୁବତୀଙ୍କ ପୁରୁଷ ବନ୍ଧୁ ସଙ୍କେତ ଭୁବନେଶ୍ବରର ଜେ.କେ. ଟାୟାର କମ୍ପାନୀରେ ସେଲସ୍‌ ମ୍ୟାନେଜର ଭାବେ କାମ କରୁଥିଲେ । ଫେସବୁକ ଜରିଆରେ ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ପାଳନ କରିବା ନିମନ୍ତେ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ପୁରୀ ନ ଯାଇ ସଙ୍କେତ ଯୁବତୀଙ୍କୁ ଓୟୋ ହୋଟେଲକୁ ଆଣି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସଙ୍କେତକୁ ଅଟକ ରଖି ପଚରାଉଚୁରା କରୁଛି ବ୍ରହ୍ମପୁର ପୋଲିସ୍ । ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।