ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ସରକାର  । ଆସନ୍ତା ୧୬ ତାରିଖ ଯାଏଁ ଛୁଟି ରହିବ ସ୍କୁଲ  । ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ଏବଂ ସ୍କୁଲ ବନ୍ଦ ରହିବ  । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ପଦକ୍ଷେପ  । ପିଲା ମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଛି  । ଏଭଳି ଟାଣ ଖରାରେ କୁନି କୁନି ପିଲାମାନେ ବାହାରକୁ ନବାହାରି ପାଇଁ ସରକାର ଦେଇଛନ୍ତି ବିଶେଷ ଧ୍ୟାନ  । ସେଥିପାଇଁ ଏପ୍ରିଲ ୧୬ ତାରିଖ ଯାଏଁ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡିକୁ ଛିଟି ଘୋଷଣା କରାଯାଇଛି  ।

ଜାପାନ ଗସ୍ତରୁ ଫେରିବା ମାତ୍ରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ନବୀନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପିଲାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନଜରରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ବିଭିନ୍ନ ଜିଲ୍ଲାକୁ ହିଟ ଓ୍ବେଭ ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ସହିତ ପାନୀୟ ଜଳ ଯୋଗାଣ, ଜଳାଭାବ ଦୂର, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ମୌସୁମୀ ଆଗମନ ବାବଦରେ ସଠିକ ସୂଚନା ରଖି ଆଗାମୀ ଯୋଜନା ପ୍ରସ୍ତୁତ କରାଯିବ । ଏହି ଅବସରରେ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହା ଉପରେ ନଜର ରଖି ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଏସକେଓ୍ବାଇ କାର୍ଯ୍ୟକଳାପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟର ସାଢେ ତିନିକୋଟିରୁ ଅଧିକ ଲୋକ ବିଏସକେଓ୍ବାଇ ସହାୟତାରେ ମାଗଣା ଚିକିତ୍ସା ସେବା ପାଇପାରୁଛନ୍ତି ।