ତୁମୁଡ଼ିବନ୍ଧ ସିଡିପିଓଙ୍କ ବଦଳି ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ତୁମୁଡ଼ିବନ୍ଧ ସିଡିପିଓଙ୍କ ବଦଳି ଦାବିରେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ସିଡିପିଓ ଲତା ଦିଗାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ସମୂହ । ଅଙ୍ଗନବାଡ଼ି କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦରମା ବନ୍ଦ କରିଥିବା ଅଭିଯୋଗ ହୋଇଛି । ଘଟଣାର ସମାଧାନ ପାଇଁ ଗତକାଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତୁମୁଡ଼ିବନ୍ଧ ଯାଇଥିଲେ। ସେପଟେ ଅଲ୍ ଓଡିଶା ଅଙ୍ଗନବାଡ଼ି ସଙ୍ଘର ରାଜ୍ୟ ଉପଦେଷ୍ଟା ଝିନୁପମା ଶତପଥୀ, ଜିଲ୍ଲା ସଭାପତି, ସମ୍ପାଦକଙ୍କ ସମେତ ବ୍ଲକର ସମସ୍ତ କର୍ମୀ ତୁମୁଡ଼ିବନ୍ଧ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ପହଁଚି ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ।

କିନ୍ତୁ ସିଡ଼ିପିଓ ଲତା ଦିଗାଳ ବେଖାତିର କରି କାର୍ଯ୍ୟାଳୟରୁ ବାହାରି ଯାଇଥିଲେ।କାର୍ଯ୍ୟାଳୟ ବାହାରେ ସଙ୍ଘର ଜିଲ୍ଲା ସମ୍ପାଦିକା ଶାରଦା ବିଶୋଇ ସିଡ଼ିପିଓ ଲତା ଦିଗାଳଙ୍କୁ ଆଲୋଚନା କରିବା ପାଇଁ ଅଟକାଇବା ବେଳେ ସିଡ଼ିପିଓ ତାଙ୍କ କାର୍ ଡୋରରେ ଆଘାତ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।ଘଟଣାକୁ ନେଇ ଅଙ୍ଗନବାଡ଼ି ସଙ୍ଘ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସିଡ଼ିପିଓ ଲତା ଦିଗାଳଙ୍କୁ ଅନ୍ୟତ୍ର ବଦଳି ଦାବିରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସେପଟେ ଯଥାଶୀଘ୍ର ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଙ୍ଘ। ଅନ୍ୟପଟେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ସିଡ଼ିପିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।