ବାରଙ୍ଗ ୧୯୯୯ର ଅଡୁଆ ବଢାଇଲେ ଅଞ୍ଜନା, ଆଇନର ଆଶ୍ରୟ ନେବାକୁ ଚେତାବନୀ

ଭୁବନେଶ୍ବର: କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ବାରଙ୍ଗ ୧୯୯୯ ଓ୍ବେବସିରିଜକୁ ନେଇ ବିବାଦ। ଓ୍ବେବସିରିଜକୁ ବିରୋଧ କରିଛନ୍ତି ଅଞ୍ଜନା ମିଶ୍ର। ବିନା ଅନୁମତିରେ ତାଙ୍କ କାହାଣୀକୁ ନେଇ ଓ୍ବେବସିରିଜ ନିର୍ମାଣ କରାଯାଇଥିବା ଅଞ୍ଜନା କହିଛନ୍ତି। ତୁରନ୍ତ ଏହାକୁ ବନ୍ଦ କରା ନଗଲେ ସେ ଆଇନର ଆଶ୍ରୟ ନେବେ ।

ଓ୍ବେବସିରିଜ ନିର୍ମାଣ ନେଇ ସେ ଏକ ଖବରକାଗଜରୁ ଜାଣିଲେ। କିଏ ସିନେମା କରୁଛି, କାହିଁକି କରୁଛି, ଏ ବିଷୟରେ ତାଙ୍କ ସହ ଆଲୋଚନା କରାଯାଇନଥିବା ଅଞ୍ଜନା କହିଛନ୍ତି। କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଥିବା ବାରଙ୍ଗ ୧୯୯୯ ଓ୍ବେବସିରିଜ ଅଞ୍ଜନାଙ୍କ କାହାଣୀ ଉପରେ ଆଧାରିତ ବୋଲି ଚର୍ଚ୍ଚା ହେବା ପରେ ବିବାଦ ବଢିଛି ।

ଗୋଟିଏ ଏପିସୋଡ୍‌ ସୁଟିଂ କରାଯାଇଥିବା ବେଳେ ବାକି ଏପିସୋଡ୍‌ ସୁଟିଂ ହେବାକୁ ଅଛି । ଓ୍ବେବସିରିଜରେ ଉଭୟ ବଲିଉଡ୍ ଓ ଓଲିଉଡ୍‌ର କଳାକାର ଅଭିନୟ କରୁଛନ୍ତି । ସେପଟେ ଏଥିରେ କାହାକୁ ଆକ୍ଷେପ କରାଯାଇ ନାହିଁ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଓ୍ବେବସିରିଜ ନିର୍ମାଣ ଚାଲିଛି, ଅଡିସନ୍ ସରିନଥିବା ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି। ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ରହିଛି। ତେବେ ଓ୍ବେବସିରିଜ ନିର୍ମାଣ ହେବା ପରେ ଦେଖିବାକୁ ଅନୁରୋଧ କରିଛନ୍ତି।

ଭଲ ବିଷୟବସ୍ତୁକୁ ନେଇ କାହାଣୀ କରାଯାଉଥିବା ସେ କହିଛନ୍ତି। ୨୦୨୩ ମାର୍ଚ୍ଚ ସୁଦ୍ଧା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ ବୋଲି ପ୍ରଯୋଜକ କହିଛନ୍ତି। ୨୩ ବର୍ଷ ତଳେ ବାରଙ୍ଗରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଶିକାର ହୋଇଥିଲେ  । ତେବେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ୨୨ ବର୍ଷ ଧରି ଫେରାର ରହିଥିଲା  । ଯାହାକୁ ଗତ ବର୍ଷ ମହାରାଷ୍ଟ୍ରରୁ ଗିରଫ କରିଥିଲା ଓଡ଼ିଶା ପୋଲିସ  । ଜଳନ୍ଧର ସ୍ବାଇଁ ଛଦ୍ମ ନାଁରେ ବିବନ ମହାରାଷ୍ଟ୍ର ଲୋନାଭାଲାର ଆମ୍ବି ଭ୍ୟାଲିରେ ରହିଆସୁଥିଲା । ତାକୁ ଟିଆଇ ପରେଡରେ ଅଞ୍ଜନା ଚିହ୍ନଟ କରିଥିଲେ  ।