ପଳାତକ ଅମୃତପାଲ ସିଂର ସହଯୋଗୀ ଜୋଗା ଗିରଫ

ଚଣ୍ଡିଗଡ଼: ପଳାତକ ଅମୃତପାଲ ସିଂର ଆଉ ଏକ ସହଯୋଗୀ ଜୋଗା ସିଂକୁ ଗିରଫ କରିଛି ପଞ୍ଜାବ ପୋଲିସ । ପଞ୍ଜାବର ଡିଆଇଜି ବର୍ଡର ରେଞ୍ଜ ନରିନ୍ଦର ଭାର୍ଗବ ଶନିବାର କହିଛନ୍ତି ଯେ, ୱାରିସ ପଞ୍ଜାବ ଦେ ପ୍ରମୁଖ ଅମୃତପାଲ ସିଂର ମୁଖ୍ୟ ସହଯୋଗୀ ଜୋଗା ସିଂକୁ ସରହିନ୍ଦରୁ ଗିରଫ କରାଯାଇଛି । ଏହା ପୂର୍ବରୁ ଅମୃତପାଲ ସିଂକୁ ଶରଣ ଦେଇଥିବା ଅଭିଯୋଗରେ ପଞ୍ଜାବରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଅଧିକାରୀଙ୍କ କହିବା ଅନୁସାରେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ହୋସିୟାରପୁର ଜିଲ୍ଲାର ବାବକ ଗାଁ ନିବାସୀ ରାଜଦୀପ ସିଂ ଏବଂ ଜଲନ୍ଧର ଜିଲ୍ଲାର ନିବାସୀ ସରବଜିତ ସିଂହଙ୍କ ରୂପରେ ହୋଇଛି । ରାଜଦୀପ ସିଂ ଏବଂ ସରବଜିତ ସିଂଙ୍କୁ ଶୁକ୍ରବାର ରାତିରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ମାଜିଷ୍ଟ୍ରେଟ ଦୁଇଜଣଙ୍କ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇଛନ୍ତି ।

ଏହା ବ୍ୟତୀତ ଗତ ସୋମବାର ପୋଲିସ ଅମୃତପାଲ ସିଂର ସମ୍ପର୍କୀୟ ପପଲପ୍ରୀତ ସିଂଙ୍କୁ ପଞ୍ଜାବର ହୋଶିୟାରପୁରରୁ ଗିରଫ କରିଥିଲା । ପୋଲିସ କହିଛି ଯେ ତାକୁ ଜାତୀୟ ସୁରକ୍ଷା ଆଇନ ଆଧାରରେ ଗିରଫ କରାଯାଇଛି । ପଞ୍ଜାବ ପୋଲିସର ଅଧିକାରୀ କହିଥିଲେ ଯେ ଅମୃତପାଲ ସିଂର ମୁଖ୍ୟ ସହଯୋଗୀ ପପଲପ୍ରୀତକୁ ଅମୃତସରର ଗ୍ରାମୀଣ ପୋଲିସ କାଥୁ ନଙ୍ଗଲ ଅଞ୍ଚଳରୁ ଗିରଫ କରିଥିଲା । ପପଲପ୍ରୀତକୁ ଅନେକ ଫଟୋରେ ଅମୃତପାଲ ସିଂ ସହ ଦେଖା ଯାଇଥିଲା ।

ଅମୃତପାଲ ପୋଲିସଠୁ ରକ୍ଷା ପାଇବା ପାଇଁ ଲୁଚିଛପୁଥିବା ବେଳେ ପପଲପ୍ରୀତ ତାକୁ ସହୟତା କରୁଥିଲା । ଅମୃତପାଲ ସିଂ ଏବଂ ତାର ସଂଗଠନ ୱାରିସ ଦେ ପଞ୍ଜାବର ସଦସ୍ୟଙ୍କ ବିରୋଧରେ ଗତ ମାସରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଖାଲିସ୍ତାନୀ ସମର୍ଥକ ଅମୃତପାଲ ୧୮ ମାର୍ଚ୍ଚରେ ଜଳନ୍ଧର ଜିଲ୍ଲାରେ ପୋଲିସକୁ ଚଖମା ଦେଇ ଖସିଯାଇଥିଲା ଏବଂ ଏବେ ସୁଦ୍ଧା ତାକୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ଏନଏସଏ ସମେତ ଅନେକ ଧାରା ଲଗାଇ ପୋଲିସ ତାକୁ ପଳାତକ ଘୋଷିତ କରିବା ସହ ଖୋଜୁଛି ।