ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ନରସିଙ୍ଗଡି ଜିଲ୍ଲା ଚରସିନ୍ଦୁର ବଜାରରେ କିରାଣୀ ବ୍ୟବସାୟୀ ମଣି ଚକ୍ରବର୍ତ୍ତୀଙ୍କୁ କରାଯାଇଥିଲା ସଂଘବଦ୍ଧ ଆକ୍ରଣମ। ବ୍ୟବସାୟୀ ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ମଧ୍ୟରେ ମଣି ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ହୋଇଥିଲା। ବାଂଲାଦେଶରେ ଗତ ୩ ସପ୍ତାହ ମଧ୍ୟରେ ଏହା ଷଷ୍ଠ ହିନ୍ଦୁଙ୍କୁ ହତ୍ୟା ଘଟଣା। ଗତକାଲି ସଂଧ୍ୟାରେ ଜଣେ ହିନ୍ଦୁଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପଳାଶ ଉପଖଣ୍ଡ ଅନ୍ତର୍ଗତ ବ୍ୟସ୍ତବହୁଳ ବଜାରରେ ଦୋକାନ ଚଳାଉଥିଲେ ମଣି ଚକ୍ରବର୍ତ୍ତୀ। ଏହି ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ମଣି ଚକ୍ରବର୍ତ୍ତୀ ଶିବପୁର ସାଧାରଚର ୟୁନିଅନର ବାସିନ୍ଦା। ଚରସିନ୍ଦୁର ବଜାରର ବ୍ୟବସାୟୀମାନେ ତାଙ୍କୁ ଜଣେ ଶାନ୍ତ ଏବଂ ଜଣାଶୁଣା ବ୍ୟବସାୟୀ ଥିଲେ ବୋଲି କହିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସଂଖ୍ୟାଲଘୁ ହିନ୍ଦୁ ଗୋଷ୍ଠୀ। ଏହାପୂର୍ବରୁ ଗତକାଲି ଯଶୋର ଜିଲ୍ଲାରେ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଣା ପ୍ରତାପ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ରାଣା ପ୍ରତାପ ବଜାରରେ ଥିବା ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା।କିଛି ସପ୍ତାହ ପୂର୍ବରୁ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ମୈମନସିଂ ଜିଲ୍ଲାରେ ବଜେନ୍ଦ୍ର ବିଶ୍ୱାସଙ୍କୁ ଏକ ପୃଥକ ଆକ୍ରମଣରେ ଗୁଳି କରି ହତ୍ୟା କରାଯାଇଥିଲା। ଡିସେମ୍ବର ୩୧ ତାରିଖରେ, ଶରିୟତପୁର ଜିଲ୍ଲାର କେଉରଭଙ୍ଗା ବଜାର ନିକଟରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ଛୁରି ମାରି ନିଆଁ ଲଗାଇ ଦେଇଥିଲା।

