ଗ୍ରେଟର ବ୍ରହ୍ମପୁର ପାଇଁ ଆଉ ଏକ ପ୍ରୟାସ । BEMCରେ ସାମିଲ ହେବ ସହର ଉପକଣ୍ଠ ୧୩ ପଞ୍ଚାୟତ
1 min read
ନନ୍ଦିଘୋଷ ବ୍ୟୁରୋ : ଗ୍ରେଟର ବ୍ରହ୍ମପୁର ପାଇଁ ଆଉ ଏକ ପ୍ରୟାସ । BEMCରେ ସାମିଲ ହେବ ୧୩ ପଞ୍ଚାୟତ । କାଉନସିଲ ବୈଠକରେ ପ୍ରସ୍ତାବ ପାରିତ । ସରକାରଙ୍କ ଅନୁମୋଦନକୁ ଅପେକ୍ଷା । କିଛିଦିନ ପୂର୍ବରୁ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହରକୁ ଲାଗି ରହିଥିବା ୧୮ଟି ପଞ୍ଚାୟତର ସରପଞ୍ଚଙ୍କୁ ନେଇ ବୈଠକ କରିଥିଲେ ଉପ-ଜିଲ୍ଲାପାଳ । ୧୩ଟି ପଞ୍ଚାୟତର ସରପଞ୍ଚ ବ୍ରହ୍ମପୁରରେ ମିଶିବାକୁ ସମ୍ମତି ଜଣାଇ ଜିଲ୍ଲା ପ୍ରଶାସନ ନିକଟରେ ରିଜଲ୍ଯୁସନ ପ୍ରଦାନ କରିଥିଲେ । ଏନେଇ କାଉନସିଲ ବୈଠକରେ ଆଲୋଚନା ପରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା । ସରକାର ଏହାକୁ ଅନୁଧ୍ୟାନ କରି ଅନୁମୋଦନ କରିବା ପରେ ଖୁବଶୀଘ୍ର ପୂର୍ଣ୍ଣଙ୍ଗ ବ୍ରହ୍ମପୁରରେ ସାମିଲ ହେବେ ଏହି ୧୩ ପଞ୍ଚାୟତ ।
ରଙ୍ଗେଇଲୁଣ୍ଡା ବ୍ଳକର ୭ଟି ଓ କୁକୁଡ଼ାଖଣ୍ଡି ବ୍ଳକର ୬ଟି ପଞ୍ଚାୟତ ବ୍ରହ୍ମପୁରରେ ସାମିଲ ହେବେ । ରଙ୍ଗେଇଲୁଣ୍ଡା ବ୍ଳକର ଡୁରା, ଗଉଞ୍ଜୁ, ଫୁଲଟା, ସାତକୁଟୁଣି, ଭାବିନୀପୁର, ହଳଦିଆପଦର ଏବଂ ବଡ଼କୁଶସ୍ଥଳୀ ପଞ୍ଚାୟତ ଓ କୁକୁଡ଼ାଖଣ୍ଡି ବ୍ଳକର ଜଗଦଳପୁର, ଲାଠି, ଅନନ୍ତେଇ, ନିମଖଣ୍ଡି, ଆଙ୍କୁଶପୁର ଓ ଦକ୍ଷିଣପୁର ପଞ୍ଚାୟତ ବ୍ରହ୍ମପୁରରେ ସାମିଲ ହେବା ନେଇ ସମ୍ମତି ପ୍ରକାଶ କରିଛନ୍ତି । ବ୍ରହ୍ମପୁରରେ ସାମିଲ ହେବା ନେଇ ରେଜୁଲେସନ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଦାଖଲ କରିଛନ୍ତି । ୨୦୦୮ ରୁ ସହରକୁ ଲାଗି ରହିଥିବା ୧୮ଟି ପଞ୍ଚାୟତକୁ ସାମିଲ କରିବା ନେଇ ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଦାବି କରି ଆସୁଥିଲା । ନିକଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ସହିତ ଏନେଇ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲା କମିଟି । ୧୩ଟି ପଞ୍ଚାୟତ BEMCରେ ସାମିଲ ହେଲେ ମୌଳିକ ସମସ୍ୟାର ସମାଧାନ ହେବା ସହ ସହରର ସମସ୍ତ ସୁବିଧା ପାଇପାରିବେ ପଞ୍ଚାୟତ ବାସିନ୍ଦା ।