ଅନୱର-ଉଲ-ହକ ହେବେ ପାକିସ୍ତାନର ୮ମ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନରେ ସଂସଦ ଭଙ୍ଗ ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ଏହାରି ଭିତରେ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଘୋଷଣା ହୋଇଛନ୍ତି । ଅନଓ୍ବର ଉଲ ହକ୍ କାକରଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ବିରୋଧୀ ଦଳ ନେତା ରାଜା ରିୟାଜ ଅନଓ୍ବରଙ୍କ ନାଁରେ ମୋହର ମାରିଛନ୍ତି । ରାଷ୍ଟ୍ରପତିଙ୍କ ପାଖକୁ ତାଙ୍କ ନାଁ ସୁପାରିଶ କରାଯାଇଥିଲା । ରାଷ୍ଟ୍ରପତି ଆରିଫ ଆଲଭି ତାଙ୍କ ନାଁରେ ମୋହର ମାରିଛନ୍ତି । ବାଲୁଚିସ୍ଥାନ ଆବାମୀ ପାର୍ଟିର ସାଂସଦ ଅନଓ୍ବର ଉଲ ହକ୍ ଚଳିତ ବର୍ଷ ଶେଷରେ ହେବାକୁ ଥିବା ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ । ଗତ ୯ ତାରିଖରେ ସଂସଦ ଭଙ୍ଗ କରିଥିଲେ ସେହେବାଜ ସରିଫ । ସମ୍ବିଧାନ ଅନୁସାରେ ଏଭଳି ସ୍ଥିତିରେ ୯୦ ଦିନରେ ସାଧାରଣ ନିର୍ବାଚନ ହେବ । ଆଗାମୀ ପ୍ରଧାନମନ୍ତ୍ରୀ ଅନଓ୍ବରଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି । ଏଭଳି କ୍ଷେତ୍ରରେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବାକୁ ନେଇ ଅନେକ ବିବାଦ ଆରମ୍ଭ ହେଲାଣି ।