ବଢି ଚାଲିଛି ଜୟ-ଜଗିଙ୍କ ଅଡୁଆ, ତଦନ୍ତକାରୀ ସଂସ୍ଥା ଯେବେ ଚାହିଁବେ, ସେବେ କରିପାରିବେ ଗିରଫ

ଭୁବନେଶ୍ୱର   କଣ୍ଟ ପୂରି ଆସୁଛି  । ପାପର ପେଡି ଖୋଲି ଚାଲିଛି । ଆଇନ ଆଖିରୁ ଆଉ ଖସି ହେବନି । ପୂରା ଫସିବେ ଜଗି ଓ ଜୟ ପଣ୍ଡା । ହଟିଲା ହାଇକୋର୍ଟ କବଚ । ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡରର ମାଲିକ ଓ ମାଲିକାଣୀଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟ ରୋକଠୋକ୍ ମନା କରିଦେଇଛନ୍ତି । ଫଳରେ ମୁଖ୍ୟ ଅଭିଯୁକ୍ତ ପଣ୍ଡା ଦମ୍ପତ୍ତିଙ୍କ ଗିରଫ ପାଇଁ ବାଟ ଫିଟିଛି  । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସେମାନଙ୍କୁ ଚାହିଁଲେ ଏବେ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରିବେ । ମାମଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ସମୟ ବଢ଼ାଇବାକୁ ଜଗି ଓ ଜୟଙ୍କ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି ।

ଯେ କୌଣସି ମୁହୂର୍ତ୍ତରେ ବନ୍ଧା ହୋଇପାରନ୍ତି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା  । ଜେଲ ହାଜତ ଭିତରେ କଟିପାରେ ଦିନ  । ସାରୁଅ ଜମି ଜାଲିଆତି ମାମଲା ରଦ୍ଦ କରିବା ଆବେଦନ ଖାରଜ ପରେ ସୃଷ୍ଟି ହୋଇଛି ଏପରି ଆଶଙ୍କା । ଏପରିକି ଏ ମାମଲାରେ ଅନ୍ତରୀଣ ସୁରକ୍ଷା ଦେବାକୁ ମଧ୍ୟ ମନା କରିଦେଇଛନ୍ତି କୋର୍ଟ  । ଖାରଜ କରି କୋର୍ଟ କହିଛନ୍ତି, ବର୍ତ୍ତମାନର ତଦନ୍ତ ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରାଯାଇପାରିବନି  । ଏ ନେଇ କୋର୍ଟରେ ଅଭିଯୋଗକାରୀ ରବୀନ୍ଦ୍ର ସେଠୀଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, କୋର୍ଟରୁ ଅନ୍ତରୀଣ ସୁରକ୍ଷା ନେଇ ଜଗି ଓ ଜୟ ତଦନ୍ତରେ ସହଯୋଗ କରୁନାହାଁନ୍ତି  । ତେଣୁ ତାଙ୍କ ଆଗୁଆ ଜାମିନକୁ ନାକଚ କରାଯାଉ ବୋଲି କୋର୍ଟଙ୍କୁ ଗୁହାରୀ କରିବା ପରେ କୋର୍ଟ ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଗତ ୧୩ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରଖିତ ରଖିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଜଗି ଓ ଜୟ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ କହିଥିଲେ । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାୟର କରିଥିବା ବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ହାଇକୋର୍ଟରେ ସେ ଆବେଦନ କରିଥିଲେ । ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜଗିଙ୍କୁ ପ୍ରଥମେ ନଭେମ୍ବର ୧୨ ଓ ପରେ ଶୁଣାଣି କରି ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ  ଗିରଫ କରାଯାଇ ପାରିବ ନାହିଁ ବୋଲି ରବିନ୍ଦ୍ର ସେଠୀଙ୍କ ଓକିଲ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ।

ସେହିଭଳି ଓଆଇପିଏଲ ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କ ମୂଳ ମାମାଲାକୁ ରଦ୍ଦ କରିବା ପାଇଁ ଆବେଦନ କରିଛନ୍ତି  । ଯାହାର ଶୁଣାଣି ସୋମବାର ଦିନ ହାଇକୋର୍ଟରେ ହେବ  ।  ଗିରଫ ପରେ ଓଆଇପିଏଲରୁ ଇସ୍ତଫା ଦେଇ ଜେଲରେ ଥିବା ବରିଷ୍ଠ କାର୍ଯ୍ୟନିର୍ବାହୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ଜାମିନ ଆବେଦନ କରିଛନ୍ତି  ।

ଅପରପକ୍ଷରେ  ଓଟିଭି ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ଜଗି ଓ ଜୟ ପଣ୍ଡା ଦଳିତଙ୍କ ଜମିକୁ ହାତେଇଥିବା ଅଭିଯୋଗ କରିଥିଲେ ଖୋଦ ରବି ସେଠୀ  । ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ରବୀନ୍ଦ୍ର ସେଠୀଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଦଳିତଙ୍କ ଜମି କିଣାଯାଇଥିଲା । ଚାକିରି ଚାଲିଯିବାର ଧମକ ଦିଆଯାଇ ତାଙ୍କଠାରୁ କେବଳ ଦସ୍ତଖତ ନିଆଯାଇ ଜମି କିଣାଯାଇଥିଲା ବୋଲି ରବୀନ୍ଦ୍ର ସ୍ବୀକାର କରି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇସାରିଛନ୍ତି । ସାରୁଅ ଜମି ହାତେଇବାରେ ଓଆଇପିଏଲ ପକ୍ଷରୁ ମାମଲତିକାର ସାଜିଥିଲେ ସଂସ୍ଥାର ନିର୍ଦ୍ଦେଶକ ବିଭୁ ରଥ, ମନୋରଂଜନ ଷଡ଼ଙ୍ଗୀ, ନିହାର ଭୂୟାଁ । ଶିବ ଶ୍ରୀଚନ୍ଦନଙ୍କ ଭଳି କମ୍ପାନୀର ଏଜେଣ୍ଟମାନଙ୍କ ଜରିଆରେ ଦଳିତଙ୍କ ଜମି ହାତେଇବାର ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରାଯାଇଥିଲା । ଇତିମଧ୍ୟରେ ମନୋରଂଜନ ଷଡ଼ଙ୍ଗୀ ଗିରଫ ହୋଇ ଜାମିନ୍ ପାଇଥିଲା ବେଳେ ବିଭୁ ରଥଙ୍କୁ କ୍ରାଇବ୍ରାଞ୍ଚ ଇଓଡବ୍ଲୁ ଦୁଇ ଦୁଇ ଥର ଓ ନିହାର ଭୂୟାଙ୍କୁ ଥରେ ଜେରା କରି ସାରିଛି । ଅନ୍ୟପଟେ ସାରୁଅରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବାବେଳେ ଓଟିଭି କର୍ତ୍ତୃପକ୍ଷ ତଥାପି ବେଖାତିର କରିଚାଲିଛନ୍ତି  ।

Leave a Reply