କୋଭିଡ୍‌ ନିୟମକୁ ଭାଙ୍ଗି କାଠଗଡ଼ାରେ ବିଜେପି ସାଂସଦ ଅପରାଜିତା, କହିଲେ ମୁଁ ନିୟମ ମାନୁଛି ଆଗକୁ ମଧ୍ୟ ମାନିବି

ଭୁବନେଶ୍ୱର: ଗୋଇଠା ମାରି ବିଷ୍ଣୁ କରିବା ନ୍ୟାୟରେ ଅଛନ୍ତି କି ବିଜେପି ସାଂସଦ ଅପରାଜିତା । ନା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଙ୍ଘନ କରିବାର ଅନୁମତି ଆଣିଛନ୍ତି ଦିଲ୍ଲୀରୁ । ପ୍ରଶାସିକାରୁ ନେତା ପାଲଟିଥିବା ଅପରାଜିତା ଅମାନିଆ ନା ଅହଙ୍କାରୀ । ଏ ପ୍ରଶ୍ନ ପଚାରୁଛି ଓଡ଼ିଶା। କାରଣ ପ୍ରଥମେ ସେ ସାମାଜିକ ଦୂରତା ନିୟମକୁ ଉଲଙ୍ଘନ କରି ନେତାଙ୍କ ସହ ମେଳି କରିଥିଲେ । ଭୁଲ୍‌ ବୁଝିବା ପରେ ଫାଇନ୍‌ ବି ଦେଇଥିଲେ। ଆଜି ପୁଣି ଭୂମି ପୂଜନ ନାଁରେ ନେତାକର୍ମୀଙ୍କୁ ନେଇ ଭିଡ଼ ଜମାଇ ଥିଲେ । ଯାହାକୁ ନେଇ ଆକ୍ଷେପ ରାଜନୀତି ଆରମ୍ଭ ହୋଇଯାଇଛି ।

କୋଭିଡ୍‌ ନିୟମକୁ ଭାଙ୍ଗି କାଠଗଡ଼ାରେ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ହଂସପାଳ ଓଭରବ୍ରିଜ୍‌ ପାଇଁ ଭୂମି ପୂଜନର ଏ ଚିତ୍ର ଦେଖନ୍ତୁ । କରୋନା ଭୟରେ ସାରା ରାଜ୍ୟ ଥରୁଥିବା ବେଳେ ନେତାକର୍ମୀଙ୍କୁ ମେଳି କରି ନେତା ଆସିଛନ୍ତି ପଦାକୁ । ରାଜନୀତି ପାଇଁ ସତେ ଯେମିତି ଭୁଲି ଯାଇଛନ୍ତି ସାମାଜିକ ଦୂରତାକୁ ।

କିଛିଦିନ ତଳେ ଦଳ ଛାଡୁଥିବା ଜଣେ ନେତାଙ୍କୁ ମନେଇବାକୁ ଅପରାଜିତା ଭୂଲି ଯାଥିଲେ କୋଭିଡ୍‌ ନିୟମକାନୁନ୍‌କୁ। କାନ୍ଧକୁ କାନ୍ଧ ମିଳାଇ ନେତା ଉଠାଇଥିଲେ ଫଟୋ । ଏପରିକି କେହି ବି ପିନ୍ଧି ନଥିଲେ ମାସ୍କ। ଏହାପରେ ଭୁଲ୍‌ ସ୍ୱୀକାର କଲେ ଫାଇନ୍‌ ମଧ୍ୟ ଦେଲେ। ଏଥର କିନ୍ତୁ ଫାଇନ୍‌ ଭୟରେ ପ୍ରାୟ ସମସ୍ତେ ମାସ୍କ ପିନ୍ଧିଛନ୍ତି। ହେଲେ କରୋନା କଟକଣାକୁ ଦଳି ଚକଟି ମେଳି କରିଛନ୍ତି ।

ସାଂସଦ ଅପରାଜିତା ଷଡଙ୍ଗୀ ଏନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । କୋବିଡ଼ ୧୯ ଗାଇଡ଼ ଲାଇନ ନିୟମ ପାଳନ କରିବା ସମସ୍ତଙ୍କ ପାଇଁ ଜରୁରୀ । ପୂର୍ବରୁ ମୁଁ ଏକ ବିଶେଷ ମୁହୂର୍ତ୍ତରେ କୋଭିଡ ନିୟମକୁ ଉଲଂଘନ କରିଥିଲି ସେଥିପାଇଁ ସ୍ୱେଚ୍ଛାକୃତ ଫାଇନ ଦେଇଥିଲି । ସେ ଆହୁରି ମଧ୍ୟ କହିଛନ୍ତି କି ନିୟମ ମୁଁ ମନୁଛି, ଆଗକୁ ମଧ୍ୟ ମୁଁ ନିୟମକୁ ମାନିବି । ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏନେଇ ତାଙ୍କର ରଖିଲେ ପ୍ରତିକ୍ରିୟା ରଖିଛନ୍ତି । କେହି ବି କୋଭିଡ ନୀତି ନିୟମ ଭାଙ୍ଗିବା ଉଚିତ ନୁହେଁ  । ସମସ୍ତଙ୍କୁ ଅନୁରୋଧ କରୁଛୁ ସାମାଜିକ ଦୂରତା ପାଳନ କରନ୍ତୁ  ।

ବିଜେଡି ପ୍ରତିକ୍ରିୟା

ଏଣେ ବିଜେଡି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କୁ ନିୟମିତ ଭାବେ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବାରୁ ସମାଲୋଚନା କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଅପରାଜିତା ଷଡଙ୍ଗୀ ନିୟମିତ ଭାବେ ସାମାଜିକ ଦୂରତା ନିୟମର ଉଲ୍ଲ୍ଂଘନ କରୁଛନ୍ତି । ଆଗରୁ ଥରେ ସେ ଏପରି କରି କ୍ଷମା ମାଗିବା ପରେ ବି ପୁଣି ସେହି କଥାକୁ ଦୋହରାଇଛନ୍ତି । ବାରମ୍ବାର ଏଭଳି କରି ସେ ଲୋକଙ୍କ ସମ୍ମୁଖରେ ଖରାପ ଉଦାହରଣ ସୃଷ୍ଟି କରୁଛନ୍ତି ।

Leave a Reply