ଅପରାଜିତାଙ୍କୁ ନିଜ କର୍ମୀଙ୍କ ବିରୋଧ, ରାଜ୍ୟ କାର୍ଯ୍ୟାଳୟ ଆଗରେ ଶୁଭିଲା ‘ବିହାରୀ ଗୋବ୍ୟାକ୍’ନାରା

ଭୁବନେଶ୍ୱର : ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ତାଙ୍କରି ଦଳୀୟ କର୍ମୀଙ୍କ ବିରୋଧ । ଖୋର୍ଦ୍ଧାରେ ବିଜେପି କର୍ମୀ ମେଳି କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କୁ ବିରୋଧ କରୁଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭାରୁ ପ୍ରାର୍ଥୀ କରାଯିବ ବୋଲି ଗୋଟିଏ ସଭାରେ ଅପରାଜିତାଙ୍କ ବକ୍ତବ୍ୟ ପରେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟ ଆଗରେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ ବିହାରି ଗୋବ୍ୟାକ୍ ଭଳି ସ୍ଲୋଗାନ ଦେଇଥିଲେ ।କାଳୁ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଆଶଙ୍କା ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବାକୁ ଅପରାଜିତ ଉଦ୍ୟମ କରୁଛନ୍ତି । ଅନ୍ୟପକ୍ଷରେ ଏହି ବିରୋଧକୁ ଦେଖି,ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ସେ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବେ ନାହିଁ । ସେ ନିର୍ବାଚନ ଲଢିବାକୁ ଦଳକୁ ଆସି ନାହାନ୍ତି ।

ତେବେ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ସାଂସଦ ଖୋର୍ଦ୍ଧା ବିଜେପିକୁ ଭାଗଭାଗ କରିଛନ୍ତି । ତାଙ୍କରି ପାଇଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶେଷ ରିପୋର୍ଟ ଅନୁସାରେ କାଳୁ ଖଣ୍ଡାୟତରାୟ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମଧ୍ୟରେ ଆଲୋଚନା ସମାପ୍ତ ହୋଇଛି । କାଳୁ ଖଣ୍ଡାୟତରାୟଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ପ୍ରତିସ୍ରୁତି ଦେଇଛନ୍ତି ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି ।