ସୁନ୍ଦରଗଡ଼ର ଆରିଫାଙ୍କୁ ମିଳିଲା ରାସନ କାର୍ଡ, ଏବେ BSKY ସହାୟତାରେ ମିଳିବ ମାଗଣା ଚିକିତ୍ସା

ସୁନ୍ଦରଗଡ଼: କାଲି ଖବର ପ୍ରସାରଣ । ଆଜି ସମାଧାନ । ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ଦେଖି ତୁରନ୍ତ ସମାଧାନ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ସୁନ୍ଦରଗଡର ଆରିଫା ଫାତିମାଙ୍କୁ ମାତ୍ର କିଛି ଘଣ୍ଟାରେ ମିଳିଛି ରାସନ କାର୍ଡ । ରାଜ୍ୟ ଖାଦ୍ୟ କମିଶନର ଅବନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଅର୍ଥାଭାବରୁ ଆରିଫାଙ୍କ ଅଚଳ ଦୁଇ କିଡନୀର ଚିକିତ୍ସା ହୋଇପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆଶାର କିରଣ ଦେଖାଦେଇଛି । ରାସନ କାର୍ଡ ନ ଥିବାରୁ ଆରିଫା ବିଏସକେୱାଇ କାର୍ଡ ପାଇପାରୁନଥିଲେ ।

ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଫାତିମାଙ୍କୁ ରାସନ କାର୍ଡ ଯୋଗାଇବାକୁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ କମିଶନର କାର୍ଡ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏବେ କାର୍ଡ ଇସ୍ୟୁ ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଫାତିମାଙ୍କୁ ନୂଆ ରାସନ କାର୍ଡ ଓ ବିଏସକେୱାଇ କାର୍ଡ ମିଳିବ । ନିୟମ ଅନୁସାରେ ଫାତିମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ମାତ୍ର ୧୦ ବର୍ଷ ବୟସରେ କୁନି ଫାତିମାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ।

ଦୁଇଟି ଯାକ କିଡନୀ ପ୍ରତିରୋପଣ ନେଇ ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଭାଙ୍ଗିପଡିଛି ଫାତିମାଙ୍କ ପୂରା ପରିବାର । ଚୁଲବୁଲି ଫାତିମା ଏବେ ମଉନ । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲିସିସ ଚାଲିଛି । କିଡନୀ ପ୍ରତିରୋପଣ ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗିଛନ୍ତି ବାପା ମାଆ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପୁଣି ଫାତିମା ନାଚିବ ଆଉ ପାଠ ପଢ଼ିବ । ସ୍ବପ୍ନ ପୂରଣ କରିବ ।