ଆର ଜନ୍ମରେ ସୈନିକ ହେବି; ଜୀବନ ହାରିବା ପୂର୍ବରୁ ଯୁବକଙ୍କ ଶେଷ କଥା…

ନୂଆଦିଲ୍ଲୀ: ଏ ଜନ୍ମରେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ନିହାତି ହେବି । ଆର୍ମି ପରୀକ୍ଷାରେ ଫେଲ୍ ହେବା ପରେ ଏଇ କେଇ ପଦ ସୁଇସାଇଡ ନୋଟରେ ଲେଖିଯାଇଛନ୍ତି ଯୁବକ । ଘଟଣାଟି ଘଟିଛି ଦିଲ୍ଲୀ ନୋଏଡାର ସେକ୍ଟର ୪୯ ଅଞ୍ଚଳ ସ୍ଥିତ ବରୋଲି ଗାଁରେ । ପୋଲିସ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ।

ସୂଚନା ଅନୁଯାୟୀ, ଅଲିଗଡ଼ର ବାସିନ୍ଦା ହରି ସିଂହ ପରିବାର ସହ ନୋଏଡାରେ ରହୁଥିଲେ। ଘରର ଆର୍ଥିକ ସ୍ଥିତି ଏତେଟା ସ୍ୱଚ୍ଛଳ ନଥିବା ବେଳେ ପୁଅ ଦୀପୁ ସିଂହ ସୈନ୍ୟ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଦୀର୍ଘ ଦିନର ପ୍ରସ୍ତୁତି ପରେ ସେ ଅଗ୍ନିବୀର ପାଇଁ ପରୀକ୍ଷା ଦେଇଥିଲେ କିନ୍ତୁ ସଫଳ ହୋଇପାରିନଥିଲେ । ଏହି ଘଟଣା ପରେ ଖୁବ୍ ଚୁପଚାପ ହୋଇଯାଇଥିଲେ ଦୀପୁ  । ମର୍ମାହତ ହୋଇ ଦୀପୁ ପରିଶେଷରେ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା  କରିଦେଇଛନ୍ତି ।

ଏ ଜନ୍ମରେ ସୈନ୍ୟ ହୋଇପାରିଲି ନାହିଁ  କିନ୍ତୁ ଆର ଜନ୍ମରେ ନିଶ୍ଚୟ ବନିବି । ୪ବର୍ଷ ପରିଶ୍ରମ କରିକି କିଛି ଲାଭ ହେଲା ନାହିଁ । ମା’ ବାପାଙ୍କ ପାଇଁ ମୁଁ କିଛି କରିପାରିଲି ନାହିଁ । ସୁଇସାଇଡ ନୋଟରେ ଏମିତି କିଛି ଲେଖି ଜୀବନ ହାରିଦେଇଛି ଦୀପୁ । ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।