ଅଧିକ ଲଗେଜ ପାଇଁ ଅଧିକ ଚାର୍ଚ୍ଚ ମାଗିବାରୁ ୪ ବିମାନ କମର୍ଚାରୀଙ୍କୁ ନିର୍ଧୁମ ପିଟିଲେ ସେନା ଅଧିକାରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀନଗରରୁ ଦିଲ୍ଲୀ ଆଓୁଥିବା ସାଇଜେଟ୍ ଫ୍ଲାଇଟ SG-386ର ବୋର୍ଡିଂ ଗେଟ ନିକଟରେ ଜଣେ ବରିଷ୍ଠ ସେନା ଅଧିକାରୀ ୪ ଜଣ ବିମାନ କର୍ମଚାରୀଙ୍କୁ ନୁର୍ଧୁମ ମାଡ଼ ମାରିଛନ୍ତି । ଏୟାରଲାଇନ୍ ପ୍ରବକ୍ତାଙ୍କ ଅନୁସାରେ ଘଟଣା ଜୁଲାଇ ୨୬ ତାରିଖରେ ଘଟିଛି । ନିୟମଠାରୁ ଅଧିକ ଲଗେଜ ନେଉଥିବାରୁ ସେନା ଅଧିକାରୀଙ୍କୁ ଅଧିକ ଚାର୍ଚ୍ଚ ମାଗିଥିଲେ । ଯାହାକୁ ନେଇ ସେନା ଅଧିକାରୀ ଜଣଙ୍କ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଦେଇଥିଲେ ।

ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି, ସେନା ଅଧିକାରୀଙ୍କ ପାଖରେ ଦୁଇଟି କ୍ୟାବିନ ବ୍ୟାଗ ଥିଲା । ଯାହାର ଓଗନ ୧୬ କେଜି ଥିଲା । ନିୟମ ଅନୁସାରେ ଜଣେ ଯାତ୍ରୀ ସର୍ବାଧିକ ୭ କେଜି ଓଜନ ସାଙ୍ଗରେ ନେଇପାରିବେ । ବିମାନ କମର୍ଚାରୀ ଏବାବଦରେ ତାଙ୍କୁ ଜଣାଇବା ସହ ଅଧିକ ଓଜନ ପାଇଁ ଚାର୍ଚ୍ଚ ଦେବାକୁ କହିଥିଲେ । ହେଲେ, ସେନା ଅଧିକାରୀ ଅଧିକ ଚାର୍ଚ୍ଚ ଦେବାକୁ ମନା କରିଦେଇଥିଲେ । ଏହାପରେ ବୋର୍ଡିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରି ବିମାନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ଏହାପରେ  CISF ଅଧିକାରୀ ତାଙ୍କୁ ପୁଣି ଥରେ ଗେଟ ପାଖକୁ ନେଇ ଆସିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସେନା ଅଧିକାରୀ ଜଣଙ୍କ ୪ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଆକ୍ରମଣ କରିଦେଇଥିଲେ । ଏପରିକି ଜଣେ କର୍ମଚାରୀଙ୍କୁ ଏକାଧିକ ଥର ଗୋଇଠା, ବିଧା ଏବଂ ଷ୍ଟିଲ ଷ୍ଟାଣ୍ଡରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ଫ୍ୟାକ୍ଚର ହୋଇଥିଲା । ଅନ୍ୟ ଜଣେ କର୍ମଚାରୀ ଉକ୍ତ ଅଚେତ କର୍ମଚାରୀଙ୍କୁ ଉଠାଇବାକୁ ଯିବା ବେଳେ ତାଙ୍କ ମୁହଁକୁ ଏକ ଲାତ ମାରିଥିଲେ । ଯାହା ଫଳରେ ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରିବାକୁ ଲାଗିଥିଲା ।

ଆହତ କର୍ମଚାରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଯେଉଁଠି ସେମାନଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି । ଘଟଣାକୁ ନେଇ ସ୍ପାଇସଜେଟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହାସହ ସମ୍ପୃକ୍ତ ସେନା ଅଧିକାରୀଙ୍କୁ ନୋ ଫ୍ଲାଇଂ ଲିଷ୍ଟରେ ପକାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏୟାରଲାଇନ୍ସ ପକ୍ଷରୁ ଘଟଣା ସମ୍ପର୍କରେ ଲିଖିତ ଭାବେ ବିମାନ ଚଳାଚଳ ମନ୍ତ୍ରାଳୟକୁ ଦିଆଯିବା ସହ ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ଏହାସହ କମ୍ପାନୀ ପକ୍ଷରୁ ସିସିଟିଭି ଫୁଟେଜ ପୋଲିସକୁ ପ୍ରଦାନ କରାଯାଇଛି ।