spot_img

Latest Posts

ଆଜି ଆସିବ ଧାରା ୩୭୦ର ରାୟ

ନୂଆଦିଲ୍ଲୀ: ସୋମବାର ଆସିବ ଧାରା ୩୭୦ର ରାୟ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ହୋଇଥିବା ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ ।  ୨୦୧୯ରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ କୋର୍ଟ ରାୟ ପ୍ରଦାନ କରିବେ । ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ । ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମାମଲାର ମାରାଥନ ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ୍ ସଞ୍ଜୟ କିଶାନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସେପ୍ଟେମ୍ବର ୫ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ଉଚ୍ଛେଦ କରିବା ସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା  । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ ।

Latest Posts

Don't Miss