ଆଜି ସରିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ED ହେପାଜତ ଅବଧି

ନୂଆଦିଲ୍ଲୀ: ଆଜି ସରିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତ ଅବଧି। ତେବେ ଅଧିକ ଦିନ ହେପାଜତକୁ ନେବା ଲାଗି କୋର୍ଟରେ ଇଡି ଆବେଦନ କରିବ ବୋଲି ସୂଚନା ମିଳିଛି। ଦିଲ୍ଲୀ ମଦନୀତି ମାମଲାରେ ୭ ଦିନ ଲାଗି ଇଡି ହେପାଜତକୁ ପଠାଇଥିଲେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ।

ହେପାଜତ ଅବଧି କାଳରେ କେଜରିଓ୍ବାଲଙ୍କଠାରୁ ମଦ ନୀତି ମାମଲାରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ହାସଲ କରିଥିବା ସୂଚନା ମିଳିଛି । ଗତକାଲି ଗିରଫଦାରୀ ବିରୋଧରେ କେଜରିୱାଲଙ୍କ ପିଟିସନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ହେବ ଆସନ୍ତା ଏପ୍ରିଲ ୩ରେ।

ସେପଟେ କୋର୍ଟ ନିକଟରେ କେଜରିୱାଲ ଗୁରୁତ୍ବପୂର୍ଣ୍ଣ ବିବୃତି ରଖିବେ ବୋଲି କହିଛନ୍ତି ପତ୍ନୀ ସୁନୀତା। ସେ କହିଛନ୍ତି ଦୁଇ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ବିରୋଧରେ ଇଡି ଜେରା କରୁଥିବାସତ୍ତ୍ବେ ପଇସାଟିଏ ବି ପାଇନାହିଁ। ଘର ରେଡ ବେଳେ ମାତ୍ର ୭୩ ହଜାର ଟଙ୍କା ମିଳିଥିଲା। କୋର୍ଟ ନିକଟରେ ଇଡି ଦର୍ଶାଇ ଆସୁଛି ଯେ, ମଦ ନୀତି ମାମଲାରେ କେଜରିଓ୍ବାଲ ହେଉଛନ୍ତ କିଙ୍ଗପିନ ଏବଂ ଏଥିରୁ ଉପଲବ୍ଧ ଟଙ୍କା ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା ।

ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ମାମଲାର ଶୁଣାଣି କରି ବେଆଇନ ଅର୍ଥ ଚାଲାଣ ନିରାକରଣ ଆଇନ ବା ପିଏମଏଲଏର ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା ମାର୍ଚ୍ଚ ୨୮ ଯାଏ କେଜରିଓ୍ବାଲଙ୍କୁ ଇଡି ହେପାଜତକୁ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ ।