ବିହାର ମହାଗଠବନ୍ଧନରେ ତେଜସ୍ବୀଙ୍କୁ ସିଏମ ଚେହେରା ଘୋଷଣା ; ଅଡୁଆରେ ଏନଡିଏ
ବିହାର : ମହାଗଠବନ୍ଧନରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନାଁ ଘୋଷଣା ପରେ ଅଡୁଆରେ ଏନଡିଏ। ଏହାକୁ ନେଇ ଆରମ୍ଭ ହୋଇଛି କଥା କଟାକଟି। ତେଣେ ସିଏମ ଚେହେରା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୀରବ ରହିବା ମହାଗଠବନ୍ଧନ ଲାଗି ଅଧିକ ଖୋରାକ ଯୋଗାଇଛି। ବିହାରର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶଙ୍କ ସରକାରଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ଏନଡିଏ ସହଯୋଗୀ ଲୋକଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାଶୱାନ। ଚିରାଗଙ୍କ ମନ୍ତବ୍ୟକୁ ବି ବିରୋଧ କରୁନି ବିଜେପି। ତେଣେ ଗତ ୨୦୨୦ ନିର୍ବାଚନରେ ବିଜେପି ୧୧୦ ଆସନ ଲଢି ବିଜୟୀ ହୋଇଥିଲା ୮୦ ଆସନରେ ।
ବିଗ୍ ବ୍ରଦର ସାଜି ଜେଡିୟୁ ଲଢିଥିଲା ୧୧୫ ଆସନରେ। ମାତ୍ର ଜିତିଥିଲା ମାତ୍ର ୪୫ ଆସନ। ଏହା ସତ୍ତ୍ବେ ନୀତୀଶ ହୋଇଥିଲେ ସିଏମ। ବର୍ତ୍ତମାନ ବଦଳିଛି ସ୍ଥିତି। ଦୁଇ ଦଳ ଏଥର ୧୦୧ ଲେଖାଏ ଆସନରେ ଲଢୁଛନ୍ତି । ଯଦି ନୀତୀଶ ଗତ ଥର ଅପେକ୍ଷା କମ୍ ଆସନ ପାଆନ୍ତି ତେବେ ଏଥର ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନପାରେ ବୋଲି ବିଜେପି ମହଲ ଚିନ୍ତା କରୁଛନ୍ତି । ତେଣେ ଏନଡିଏର ଯଦି ସାହସ ଅଛି ତେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କର ବୋଲି କହିଛନ୍ତି ତେଜସ୍ବୀ । ଏପରିକି ଏନଡିଏର କୌଣସି ଆଜେଣ୍ଡା ବା ଭିଜନ ନାହିଁ ବୋଲି ସେ କହିଛନ୍ତି । ଏପରିକି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ଲାଗି ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି ବୋଲି ଦମରେ କହିଛନ୍ତି ତେଜସ୍ବୀ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗଠବନ୍ଧନକୁ ଠକବନ୍ଧନ କହିବା ସହ ଲାଲୁ ଯାଦବଙ୍କୁ କଟାକ୍ଷ କରିଛନ୍ତି। ବିହାରକୁ ଜଙ୍ଗଲରାଜ୍ ଆଡକୁ ନେବାକୁ ମହାଗଠବନ୍ଧନ ଯୋଜନା କରୁଛି ବୋଲି କହିଛନ୍ତି ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ।
