ରୂପାଲିଙ୍କ ହାତ ଧରିଲେ ଆଶିଷ ବିଦ୍ୟାର୍ଥୀ, ପାରମ୍ପାରିକ ବେଶଭୂଷାରେ ଆସିଲେ ନଜର

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ପୁଣିଥରେ ବିବାହ କରିଛନ୍ତି  । ୬୦ ବର୍ଷ ବୟସରେ ଆଶିଷଙ୍କ ଏହା ଦ୍ବିତୀୟ ବିବାହ  । ଆସାମ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି ଆଶିଷ  । କୋଲକାତାରେ ରୂପାଲୀଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି  । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ ରାଜଶୀଙ୍କୁ ବିବାହ କରିଥିଲେ  ।

ପରିବାର ଓ କିଛି ଖାସ୍‌ ବନ୍ଧୁଙ୍କ ଗହଣରେ ଦୁହେଁ ଆଜି ବିବାହ କରିଛନ୍ତି  । ଏହି ବିବାହରେ ଦୁଇଟି ଭିନ୍ନ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା  । ରୂପାଲି ଆସାମର ପାରମ୍ପାରିକ ବେଶଭୂଷା ମେଖଲା ଚାଦର ଶାଢୀରେ ନଜର ଆସିଥିବା ବେଳେ ଆଶିଷ କେରଳର ଧଳା ଓ ସୁନେଲି ରଙ୍ଗର ମୁଣ୍ଡୁ ପିନ୍ଧିଥିଲେ  । ସେହିପରି ରୂପାଲି ଦକ୍ଷିଣ ଭାରତୀୟ ଷ୍ଟାଇଲରେ ଟେମ୍ପୁଲ ଜୁଏଲରୀରେ ନଜର ଆସିଥିଲେ  ।

ଭାରତୀୟ ସିନେମା ଜଗତରେ ଆଶିଷଙ୍କ ଅବଦାନ ଅବର୍ଣ୍ଣନୀୟ  । ବଲିଉଡ ସମେତ ଅନେକ କେତଲଗୁ, ତାମିଲ, କନ୍ନଡ, ମାଲାୟଲମ, ଇଂରାଜୀ, ଓଡିଆ, ମରାଠୀ ଓ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି ଆଶିଷ  ।