ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମଧ୍ୟ ରାତ୍ରିରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର କଲେ ସମୀକ୍ଷା

1 min read

ନୂଆଦିଲ୍ଲୀ: ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ବିଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିବା ଶ୍ରୀ ବୈଷ୍ଣବ ଗତକାଲି ମଧ୍ୟ ରାତ୍ରୀରେ କରିଥିଲେ ସମୀକ୍ଷା । ଯେଉଁଥିରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ନିଜ ମନ୍ତ୍ରାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ବାଟ ଆଗେଇଛି ସେ ନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଛନ୍ତି । ୩୦୭ କିମିର ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥର ଅଗ୍ରଗତିକୁ ମନ୍ତ୍ରୀ ଅଧିକ ଗୁରୁତ୍ୱ  ଦେଇଥିବା ଜଣାପଡ଼ିଛି । ଏହି ପ୍ରକଳ୍ପ କାର୍ଯ୍ୟ କେତେ ବାଟ ପର୍ଯ୍ୟନ୍ତ ଯାଇଛି କେଉଁଠି ଅଟକି ରହିଛି, କ’ଣ ପାଇଁ ବିଳମ୍ୱ ହେଉଛି ଆଦି ବିଷୟରେ ପଚାରି ବୁଝିଛନ୍ତି । ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର , ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ ନିର୍ମାଣର ସମୀକ୍ଷା କରିଛନ୍ତି । ସେହିପରି ବଂଶପାଣି-ଦୈତାରୀ-ଟୋମକା-ଜଖପୁରା, ସମ୍ୱଲପୁର-ଟିଟିଲାଗଡ଼, ଖୋର୍ଦ୍ଧାରୋଡ-ବାରଙ୍ଗ, ବିଜୟନଗରମ-ସମ୍ୱଲପୁର, ତାଳଚେର-ସମ୍ୱଲପୁର ରେଳଲାଇନ୍ ଡବଲିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଶେଷକରି କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ପରି ଶିଳ୍ପ ସହରରୁ ପାରାଦୀପକୁ କିମଳି ଅଧିକ ସଂଯୋଗ ହୋଇପାରିବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାର ବିଭିନ୍ନ ସମୟରେ ଦେଇଥିବା ପ୍ରସ୍ତାବଗୁଡ଼ିକ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିଥିବା ଜଣାପଡ଼ିଛି । ପର୍ଯ୍ୟଟନ କ୍ଷେତ୍ର ସହ କିଭଳି ରେଳବାଇକୁ ସଂଯୋଗ କରାଯିବ ସେ ନେଇ ମଧ୍ୟ ବିଚାର ଆଲୋଚନା ହୋଇଛି । ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିଜ କାର୍ଯ୍ୟାଳୟ ଟେବୁଲ ଉପରେ ଓଡ଼ିଶା ମ୍ୟାପ୍ ରଖି ରେଳବାଇ ପ୍ରକଳ୍ପ ସମୀକ୍ଷା କରୁଥିବା ଭିଡିଓ ମଧ୍ୟ ଛାଡ଼ିଛନ୍ତି । ଏମିତି କରି ସେ ଓଡ଼ିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଦର୍ଶାଇବାକୁ ଚାହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସୂଚନା ଯୋଗ୍ୟ ଓଡ଼ିଶା କୋଟାରୁ ରାଜ୍ୟସଭାକୁ ଯାଇଛନ୍ତି ଶ୍ରୀ ବୈଷ୍ଣବ ।

ଏଥିସହିତ ପଢ଼ନ୍ତୁ: ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ: ବଦଳିଲେ ପେଟ୍ରୋଲିୟମ୍ ବିଭାଗ ମନ୍ତ୍ରୀ

 

Leave a Reply