ଏସିଆ କପ୍: ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଭାରତର ଦମଦାର ବିଜୟ । ପରକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୨୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୩ ଓ୍ବିକେଟ ହରାଇ ୧୩୧ ରନ୍ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୧, ଶୁବମନ ଗିଲ୍ ୧୦, ତିଲକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୪୭ ରନ୍ ଏବଂ ଏସ ଦୁବେ ୧୦ ରନ୍ କରି ଭାରତକୁ ବିଜୟୀ କରାଇଥିଲେ । ପାକିସ୍ତାନ ପକ୍ଷରୁ ଏସ ଆୟୁବ ୩ଟି ଓ୍ବିକେଟ ନେଇଥିଲେ ।

ଟସ୍ ଜିତିବା ପରେ ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆରମ୍ଭରୁ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ୪୫ ରନରେ ପାକିସ୍ତାନ ୩ଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ପାକିସ୍ତାନ ଓପ୍ନର ଏସ ଫରହାନ ୪୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଏସ ହାରିସ ୩, ଏସ ଜମାନ ୧୭, ଏ ସଲମାନ ୩, ଏଫ ଅଶରଫ ୧୧, ଏସ ଅଫରିଦ ୩୩ ଏବଂ ଏସ ମୁକିମ ୧୦ ରନ୍ କରିଥିବା ବେଳେ ଏସ ଆୟୁବ ଏବଂ ଏମ ନଓ୍ବାଜ ଖାତା ଖୋଲି ପାରି ନଥିଲେ ।

ଭାରତ ପକ୍ଷରୁ କୁଲଦୀପ ୩ଟି ଓ୍ବିକେଟ ନେଇଥିବା ବେଳେ ବୁମରା ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଏବଂ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଯାହାର ପ୍ରଭାବ ଆଜିର ମ୍ୟାଚରେ ବି ଦେଖିବାକୁ ମିଳିଥିଲା । ଟସ୍ ପକାଇବାକୁ ଦୁଇ ଦଳର ଅଧିନାୟକ ପଡ଼ିଆକୁ ଆସିଥିଲେ । ହେଲେ ସେଠାରେ ଭାରତୀୟ ଅଧିନାୟକ ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇ ନଥିଲେ । ଏପରିକି ଖେଳ ଶେଷ ପରେ ମଧ୍ୟ ଭାରତୀୟ ବ୍ୟାଟର୍ ଫିଲ୍ଡ ଭିତରେ ପାକିସ୍ତାନୀ ଫିଲ୍ଡରଙ୍କ ସହ ହାତ ମିଶାଇ ନଥିଲେ ।