ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଠାରୁ ଚୀନର ହାଙ୍ଗଝୁ ଠାରେ ଆରମ୍ଭ ହେଉଛି ଏସୀୟ କ୍ରୀଡା ମହାକୁମ୍ଭ । ଚଳିତ ଏସିଆନ୍ ଗେମ୍ସରେ ୪୦ଟି କ୍ରୀଡା ବର୍ଗରେ ୪୮୧ ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ବିଗ୍ ଫାଇଟ୍ । ଏଥର ୬୫୫ଜଣ ଆଥଲେଟ୍ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ଓଡ଼ିଆ ଆଥଲେଟ୍ । ବ୍ୟକ୍ତିଗତ ଇଭେଣ୍ଟରେ କିଶୋର ଜେନା ଓ ଅନୁପମା ସ୍ୱାଇଁ ରହିଛନ୍ତି ।

ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଖେଳାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି। ହକିରେ ଭାରତୀୟ ପୁରୁଷ ଦଳ ଓ ମହିଳା ଦଳ ଠାରୁ ମଧ୍ୟ ମେଡାଲ ଆଶା ରହିଛି । ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିଣିବା ସହ ପ୍ୟାରିସ ଅଲିମ୍ପିକ ଟିକଟ ହାତେଇବା ପାଇଁ ପ୍ରୟାସ କରିବ । ପୁରୁଷ ଦଳରେ ରହିଛନ୍ତି ଏକ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ। ସେହିପରି ଭାରତୀୟ ମହିଳା ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଦୀପଗ୍ରେସ ଏକ୍କା । ଭାରତୀୟ ମହିଳା ରଗବୀ ଦଳରେ ୪ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି।

ସେମାନେ ହେଲେ ହୁମ୍ପି ମାଝୀ,ତରୁଲତା ନାୟକ, ଡୁମୁଣୀ ମାରାଣ୍ଡି ଏବଂ ମାମା ନାୟକ । ରୋଇଂରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରିତୁ କଉଡ଼ି, ସୋନାଲି ସ୍ୱାଇଁ ଏବଂ ଅଂଶୀକା ଭାରତୀଙ୍କ ଠାରୁ ମେଡାଲ ଆଶା ରହିଛି । ଏସିୟ କ୍ରୀଡାରେ ଭାଗ ନେଇଛି ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳ। ମହିଳା ଦଳରେ ଓଡ଼ିଆ ଝିଅ ପ୍ୟାରୀ ଖାକା ସ୍ଥାନ ପାଇଛନ୍ତି। ୧୫ ଦିନିଆ ଏହି କ୍ରୀଡା ମହାକୁମ୍ଭ ଅକ୍ଟୋବର ୮ତାରିଖରେ ଶେଷ ହେବ। ୨୯ ତାରିଖରେ ପୁରୁଷ କ୍ରିକେଟ ଟିମ୍ ଖେଳିବ କ୍ବାଟର ଫାଇନାଲ  । ଏଥିସହ ଆଜି ଉଦଘାଟନୀ କାର୍ଯ୍ୟକ୍ରମ ରହିଛି  । ଯାହାକୁ ଦେଖିବାକୁ ସାରା ବିଶ୍ବ ଅନେଇ ରହିଛି  ।