ଖୋଲୁଛି ଡନର କଳା ସାମ୍ରାଜ ଗୁମର, ଓଡ଼ିଶାର ୭ ସହରକୁ ଯୋଗାଉଥିଲା ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ୭ ସହରକୁ ବନ୍ଧୁକ ଯୋଗାଉଥିଲା ଅସଲାମ । ବନ୍ଧୁକ ମାଫିଆ ଗ୍ୟାଙ୍ଗଷ୍ଟର ମହମ୍ମଦ ଅସଲାମଠୁ ଏପରି ତଥ୍ୟ ଉଗାଳିଛି କ୍ରାଇମବ୍ରାଞ୍ଚ । ସାମନାକୁ ଆସିଛି ଡନ୍ ସାମ୍ରାଜ୍ୟର ଗୁମର । ବିହାରରୁ ଗିରଫ କରି ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା ରାଜ୍ୟ ଏସଟିଏଫ୍ । ଜାଣନ୍ତୁ ୫ ରାଜ୍ୟକୁ ଥରହର କରୁଥିବା ମୋଷ୍ଟ ୱାଣ୍ଟେଡ୍ ଡନର ମେଡ୍ ଇନ୍ ମୁଙ୍ଗେର କାହାଣୀ ।
ଓଡ଼ିଶାର ୭ଟି ସହରରେ ବନ୍ଧୁକ କାରବାର କରିଥିଲା ଅସଲାମ । ଗ୍ୟାଙ୍ଗଷ୍ଟର ଥରାଉଥିଲା ଓଡ଼ିଶାରୁ ବିହାର । ପଶ୍ଚିମବଙ୍ଗରୁ ଆସାମ ଅସଲାମକୁ କରୁଥିଲେ ସଲାମ୍ । କିଏ ଡାକୁଥିଲା ଡନ୍, ଆଉ କିଏ କହୁଥିଲା ଭାଇଜାନ୍ । ମୁଙ୍ଗେରର ଏହି ଗ୍ୟାଙ୍ଗଷ୍ଟର ୫ ରାଜ୍ୟର ପୋଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ୍ । ସେ ଥିଲା ବନ୍ଧୁକ କାରବାରର ବେତାଜ ବାଦସାହା । ଗୋଟିଏ ଇସାରାରେ ନାଚୁଥିଲେ ସାର୍ପ ସୁଟରରୁ କଣ୍ଟ୍ରାକ୍ଟ କିଲର । ଯୋଗାଉଥିଲା ପିସ୍ତଲରୁ ରିଭଲଭର । କେବଳ ମୁଙ୍ଗେର ନୁହେଁ, ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଉ ଆସାମରେ ବିସ୍ତାର କରିଥିଲା ଅପରାଧର ସାମ୍ରାଜ୍ୟ ।
ଓଡିଶା ସ୍ପେସାଲ ଟାସ୍କଫୋର୍ସ ହାତରେ ଏହି ଡନ୍ ବନ୍ଧା ପଡିବା ପରେ, ସାମନାକୁ ଆସିଛି ଅସଲାମର ଅସଲ ଚିତ୍ର । କଟକ ବୟାଳିଶ ମୌଜାରେ ବନ୍ଧୁକ କାରଖାନା ପଛର ମାଷ୍ଟରମାଇଣ୍ଡ ଥିଲା ଏହି ଗ୍ୟାଙ୍ଗଷ୍ଟର । ଓଡିଶାରୁ ଅଧା ତିଆରି ବନ୍ଧୁକ ନେଇ ମୁଙ୍ଗେରରେ କରୁଥିଲା ଫିନିସିଙ୍ଗ । ସେଠାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଆଜାମ୍ ଓରଫ୍ ବୁଦ୍ଧୁ ଓ ମହମ୍ମଦ ଆବିଦ ହୁସେନ ଠାରୁ ବନ୍ଧୁକ କିଣୁଥିଲା । ମିନି ଗନ୍, ପିସ୍ତଲ ଆଣି ଅନ୍ୟ ରାଜ୍ୟକୁ ଯୋଗାଉଥିଲା ।
ଅସଲାମ୍ ଗଢୁଥିଲା ଗ୍ୟାଙ୍ଗସ୍ ଅଫ୍ ଗଞ୍ଜାମ । ଡନ୍ ସିଣ୍ଡିକେଟରେ ଥିଲେ ଓଡ଼ିଶାର ହେଭିୱେଟ୍ । ବନ୍ଧୁକ ଯୋଗାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିଲା । ଆଡଭାନ୍ସ ବାବଦକୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରେ ନେଇଛି । କଟକରୁ ତିଆରି ବନ୍ଧୁକ ଉପରେ ମେଡ୍ ଇନ୍ ମୁଙ୍ଗେର ଲେଖି ରାଜ୍ୟ, ରାଜ୍ୟ ବାହାରକୁ ସପ୍ଲାଏ କରୁଥିଲା । ଆଉ ମଝିରେ ମଝିରେ କଟକ ଆସି କ୍ୱାଲିଟି ବି ଚେକ୍ କରୁଥିଲା । ଗଞ୍ଜାମରୁ ମିଳିଥିବା ୩୧ ବନ୍ଧୁକ ପଛରେ ଥିଲା ଏହି ଡନର ହାତ । ଗଞ୍ଜାମ ବ୍ୟତୀତ ଆଉ କେଉଁ ସହରର କେତେ ଅପରାଧୀଙ୍କ ହାତକୁ କେତେ ବନ୍ଧୁକ ଯାଇଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସଟିଏଫ୍ ।
ଏବେ ଏସଟିଏଫ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି ବୟାଳିଶ ମୌଜାର ବନ୍ଧୁକ କାରଖାନାରେ ତିଆରି ହୋଇଥିଲା କେତେ ବନ୍ଧୁକ ? ଯଦି ଆକାଉଣ୍ଟରେ ଆଡଭାନ୍ସ ୨୦ ଲକ୍ଷ, ତା’ହେଲେ କ୍ୟାସରେ ନେଇଛି କେତେ ? କେବେ ପ୍ରସ୍ତୁତ ହେବ ବନ୍ଧୁକ ନେଇଥିବା ସାର୍ପ ସୁଟର, କଣ୍ଟ୍ରାକ୍ଟ କିଲରଙ୍କ ତାଲିକା ? ଓଡ଼ିଶାରେ ବଡ଼ ଅପରାଧ କରିବାକୁ ଯୋଜନା କରିଥିଲା କି ଡନ୍ ଅସଲାମ୍ ? ଏବେ ବି ଓଡ଼ିଶାରେ ବୁଲୁଛି କେତେ ବନ୍ଧୁକ ? ଫସିଲା ଅସଲାମ୍, ଖସିଲା କିଏ ? ଏସବୁକୁ ନେଇ ତନାଘନା ଆରମ୍ଭ କରିଛି ସ୍ପେଶାଲ ଟାସ୍କଫୋର୍ସ ।