ଆୟ ଠାରୁ ୫୦୦% ଅଧିକ ସମ୍ପତ୍ତି ଠାବ, ପାଳିଥିଲେ ୨ ଲକ୍ଷ ଟଙ୍କାର କୁକୁର

ASP Trinath Mishra Have Two Dog Worth 2 Lakhs

କଟକ: ଦାମୀ ଗାଡ଼ି, ଦାମୀ କୁକୁର । ଲାଇଫ୍ ଥିଲା ଏୟସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଠାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ତ୍ରିନାଥ ମିଶ୍ର । ଏହାର ଶୁଣାଣି ଆସନ୍ତା ୨୧ ତାରିଖରେ ରହିଛି । ତ୍ରିନାଥଙ୍କ ପାଖରେ ତାଙ୍କ ଆୟ ଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଖୋଳତାଡ଼ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ପାଖାପାଖି ୮ କୋଟି ୬୮ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତ୍ରିନାଥ ଗିରଫ ହୋଇଥିବା ବେଳେ ଭିଜିଲାନ୍ସ ତାଙ୍କ ପତ୍ନୀ ଦିପ୍ତିମୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଏଥିସହ ପଢ଼ନ୍ତୁ: ୨୨ ଘଣ୍ଟାର ମାରାଥନ୍ ରେଡ୍, ବନ୍ଧାହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

ଦାମୀ କାର, ଦାମୀ ବାଇକ୍, କୋଠା, ଫାର୍ମ ହାଉସ୍, ନର୍ସିଂ ହୋମ୍, ଔଷଧ ପ୍ରସ୍ତୁତି ୟୁନିଟ୍, ଟ୍ରାନ୍ସପୋର୍ଟ ସଂସ୍ଥା, ଫ୍ଲାଟ୍ ରଖିଥିଲେ ତ୍ରିନାଥ ମିଶ୍ର । ପଦର ଅପବ୍ୟବହାର କରି ଏଭଳି ଅମାପ ସମ୍ପତ୍ତିର ଅଧିକାରୀ ହୋଇଥିଲେ ତ୍ରିନାଥ । ଏଥିରେ ତାଙ୍କ ପୂରା ପରିବାର ସାମିଲ ଥିଲା । ୨ ଲକ୍ଷ ଟଙ୍କା ମୂଲ୍ୟର ୨ଟି କୁକୁର ମଧ୍ୟ ତ୍ରିନାଥ ରଖିଛନ୍ତି ।

ଏ ସମ୍ପର୍କରେ ଭିଜିଲାନ୍ସ ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ଦେଢ଼ ମାସ ଭିତରେ ଦୁର୍ନୀତି ମାମଲାରେ ୩୧ ଜଣ ଦୁର୍ନୀତି ଖୋର୍ ସରକାରୀ ବାବୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଚାରି ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ।

Leave a Reply