ତିରୁପତିରୁ ଚାଲିଛି ବେଆଇନ କେଶ କାରବାର!

ଗତ ଦୁଇ ମାସ ପୂର୍ବେ ଭାରତ ଏବଂ ମିଆଁମାର ସୀମାରେ ଧରା ପଡ଼ିଥିବା କେଶ ଚୋରା ଚାଲଣ ଘଟଣା ଆନ୍ଧ୍ରପ୍ରଦେଶର ରାଜନୀତିକୁ ନୂଆ ମୋଡ଼ ଦେଇଛି । ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ତିରୁମାଳା ତିରୁପତି ଦେବସ୍ଥାନମରୁ ଏହି କେଶ ଚୋରାଚାଲଣ ହେଉଥିବା ସନ୍ଦେହ କରାଯାଉଛି । ହଠାତ୍ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସାଉଁଟିଛି । ଆକଳନ ଅନୁସାରେ ଧରା ପଡ଼ିଥିବା କେଶର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା । ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏତେ ବଡ଼ ଚୋରା ଚାଲଣର ଫର୍ଦ୍ଦ ଖୋଲିବା ପରେ କ’ଣ କରୁଛି ପ୍ରଶାସନ? ପ୍ରଶ୍ନ ଏହା ମଧ୍ୟଯେ, ତିରୁମାଳାର କିଛି ସୋସିଅଲ ମିଡିଆ ଆକାଉଣ୍ଟ ଏବଂ ଟିଭି ଚ୍ୟାନେଲ ବିରୁଦ୍ଧରେ କାହିଁକି ମାମଲା ରୁଜୁ ହୋଇଛି?

ଗତ ଦୁଇ ମାସ ପୂର୍ବେ କେଶ ଚୋରା ଚାଲଣ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଆସାମ ରାଇଫଲ୍ସର ଏକ ସର୍ଚ୍ଚ ପାର୍ଟି ମିଜୋରାମ ସଂଲଗ୍ନ ମିଆଁମାର ସୀମାରେ ଏହାକୁ ଜବତ କରିବାରେ ସକ୍ଷମ ହୋଇଥିଲା । ଯଦିଓ ଦୁଇ ମାସ ପୂର୍ବେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା, କିନ୍ତୁ ଚର୍ଚ୍ଚା ଏବେ ଜୋର ଧରିଛି ।

ସାଧାରଣତଃ ଏହି ଅଞ୍ଚଳରେ ସୁନା ଏବଂ ବନ୍ୟଜନ୍ତୁ ଚୋରା ଚାଲଣ ଘଟଣା ବାରମ୍ବାର ସାମ୍ନାକୁ ଆସେ । କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ସୁରକ୍ଷା ବାହିନୀକୁ ମଣିଷ କେଶରେ ପରିପୂର୍ଣ୍ଣ ୧୨୦ଟି ବସ୍ତା ମିଳିଛି । ପ୍ରତ୍ୟେକ ବ୍ୟାଗରେ ପ୍ରାୟ ୫୦ କିଲୋ ଲେଖାଏଁ କେଶ ଥିବା ସୂଚନା ମିଳିଛି । ଏହାକୁ ଜବତ କରିବା ପରେ ଆରମ୍ଭ ହୋଇଛି ବିବାଦ ।

ମାର୍ଚ୍ଚ ୨୦ ତାରିଖରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଧରା ପଡ଼ିବାରୁ ତିରୁପତିରୁ କେଶବସ୍ତା ନେଇ ଯାଉଥିବା ଦାବି କରିଛି ଟ୍ରକ୍ ଡ୍ରାଇଭର ଏବଂ ଏହି କାରବାରରେ ଜଣେ ମହିଳା ସାମିଲ ଥିବା କୁହାଯାଉଛି । ଗଣମାଧ୍ୟମର ରିପୋର୍ଟ କହୁଛି କେବଳ ତିରୁପତିରୁ ନୁହେଁ ଭାରତର ଏକାଧିକ ଧର୍ମପୀଠରୁ କେଶ ଚୋରା ଚାଲଣ ହେବା ପୂର୍ବରୁ ଏହି ଟ୍ରକ ମିଜୋରାମ ସୀମାରେ ଧରା ପଡ଼ିଗଲା ।

ଭାରତରୁ କେଶ ଚୋରା ଚାଲଣ ହୋଇ ସିଧାସଳଖ ମିଆଁମାରରେ ପହଞ୍ଚୁଛି । ପରେ ମିଆଁମାରରୁ ଥାଇଲ୍ୟାଣ୍ଡ୍ ଏବଂ ଶେଷରେ ଥାଇଲ୍ୟାଣ୍ଡରୁ ଚୀନ୍ । ରିପୋର୍ଟ କହୁଛି, ଚୀନରେ ଏହାକୁ ଓ୍ୱିଗ୍ ପ୍ରସ୍ତୁତ କରିବାରେ ବ୍ୟବହାର ହେଉଛି, ଯାହାକୁ ସାରା ବିଶ୍ୱରେ ବିକ୍ରି କରାଯାଉଛି । ତେବେ ସାରା ବିଶ୍ୱରେ ବିକ୍ରି ହେଉଥିବା ଓ୍ୱିଗ୍ରେ କେବଳ ଚୀନ୍ ର ୭୦ ପ୍ରତିଶତ ଯୋଗଦାନ ରହିଛି । କିନ୍ତୁ ଏସବୁ ପଛରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତର ଏକାଧିକ ଧର୍ମପୀଠରେ ଲଣ୍ଡା ହେବାର ପ୍ରଥା ରହିଛି । ତେଣୁ ଏହି କାରବାର ପାଇଁ କଞ୍ଚାମାଲର ଡିପୋ ସାଜିଛି ଭାରତ ।

ଭାରତର ତିରୁପତି ମନ୍ଦିରକୁ ଦୈନିକ ୫୦ ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇଥାନ୍ତି । ଏହାର ପ୍ରାୟ ଏକ ତୃତୀୟାଂଶ ଶ୍ରଦ୍ଧାଳୁ ଏଠାରେ କେଶଦାନ କରିଥାନ୍ତି । ଏଠାରେ ଟିକେଟ୍ ବ୍ୟତୀତ ଦାନ ହୋଇଥିବା କେଶରୁ ମଧ୍ୟ ଭଲ ଆୟ ହୋଇଥାଏ ।

ପୂର୍ବରୁ ପ୍ରତି ମାସରେ ତିରୁମାଳାରେ ନୀଲାମ ହୋଇଥିବା କେଶ ବିକ୍ରି ହେଉଥିଲା । ଏହାକୁ ତିରୁମାଳାରୁ ତିରୁପତି ଭଣ୍ଡାର କେନ୍ଦ୍ରକୁ ନିଆଯାଏ । ଏହାପରେ କେଶକୁ ନୀଲାମ ଡାକିବା ପରେ ପାଞ୍ଚଟି ଶ୍ରେଣୀରେ ବିକ୍ରି କରାଯାଏ । ଲମ୍ବା କେଶପାଇଁ ଅଧିକ ଟଙ୍କା ମିଳିଥାଏ । ରିପୋର୍ଟ କହୁଛି କୋଟିକୋଟି ଆୟ ହେଉଥିବା ତିରୁପତିରେ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଏହା ଯଥେଷ୍ଟ କମିଛି । କିନ୍ତୁ କେଶ ବିକ୍ରି କିଭଳି ହେଉଛି, ନୀଲାମି କିଏ ନେଉଛି ଏବଂ ନୀଲାମି ନେଉଥିବା ଲୋକ ନିକଟରେ ଲାଇସେନ୍ସ ଅଛି କି ନାହିଁ ଏ ସମ୍ପର୍କରେ କୌଣସି ସୂଚନା ନଥିବା କହିଛି ଟିଟିଡି । କିନ୍ତୁ ଟିଟିଡି ତିନି ମାସରେ ଥରେ ଟେଣ୍ଡର ନେଉଥିବା ବ୍ୟକ୍ତିଙ୍କୁ ଏହି କେଶ ବିକ୍ରି କରିଥାଏ ।

ବିରୋଧୀ ତେଲୁଗୁ ଦେଶମ ପାର୍ଟିର କହିବା ହେଉଛି, ମିଆଁମାର ସୀମାରେ ସାମ୍ନାକୁ ଆସିଥିବା ଏହି ଘଟଣାକୁ ନେଇ ଟିଟିଡି ଅଧିକାରୀ ଦାୟୀତ୍ୱବାନ୍ ହେବା ଉଚିତ୍ ଏବଂ ଉଚିତ୍ ତଦନ୍ତ ହେବା ଉଚିତ୍ । କିନ୍ତୁ ଏହାକୁ ନେଇ ଟିଟିଡି ଚୁପ୍ ରହିଛି ।

ଏଠାରେ ଏକ ବିରାଟ ପ୍ରଶ୍ନ ହେଉଛି, ଟିଟିଡି ଏତେ ରହସ୍ୟମୟ କାହିର୍କି? ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ ଏହି ମାମଲାରେ କୌଣସି ଭୂମିକା ନଥିବା କାହିଁକି କହୁଛି ଟିଟିଡି? ନିହାତି ଭାବରେ ଏହା ଏକ ଲଜ୍ଜାଜନକ ଘଟଣା । ସତରେ କ’ଣ ଟିଟିଡିକୁ ଏହା ଅଛପା? ସତରେ କ’ଣ ବିନା ଯାଞ୍ଚରେ ନୀଲାମ ଦିଆଯାଉଛି? ସମ୍ବଦ୍ଧିତ ବ୍ୟକ୍ତିଙ୍କ ବିରୁଦ୍ଧରେ କାହିଁକି କୌଣସି ପଦକ୍ଷେପ ନେଉନାହିଁ ଟିଟିଡି? ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଗତ ଦୁଇ ବର୍ଷ ହେବ ଏକାଧିକ ବିବାଦରେ ଫସିଥିବା ଟିଟିଡି ପୁଣି ଥରେ ଅଡ଼ୁଆ ସୂତାରେ ଛନ୍ଦି ହୋଇଛି । ଦାନ ହୋଇଥିବା କେଶକୁ ନେଇ ଆରମ୍ଭ ହୋଇଛି ଆଉ ଏକ ବିବାଦ । ଅନ୍ୟପଟେ ଟିଟିଡି ମାଧ୍ୟମରେ ଏହି ଚୋରାଚାଲଣ ହେଉଥିବା ସୋସିଅଲ ମିଡିଆରେ ଦାବି ହେଉଛି । ଆନ୍ଧ୍ରପ୍ରଦେଶର ଭିଜିଲାନ୍ସ ବିଭାଗ ଏହି ସମ୍ପର୍କରେ ଅଭିଯୋଗ ଗ୍ରହଣ କରିଛି । ଅନ୍ୟପଟେ ଫେସବୁକରେ ଟିଟିଡି ବିରୁଦ୍ଧରେ ଲେଖା ଯାଉଥିବା ତଥ୍ୟ ତାଙ୍କୁ ବଦନାମ କରୁଥିବା ଦର୍ଶାଇ ପୋଲିସୀରେ ଅଭିଯୋଗ ଦାଖଲ କରିଛି ଟିଟିଡି ।

କେବଳ ସେତିକି ନୁହେଁ ବରଂ ତେଲୁଗୁ ଦେଶମ୍ ପାର୍ଟି ଏବଂ ଆନ୍ଧ୍ରଜ୍ୟୋତି ନାମକ ଏକ ଚ୍ୟାନେଲ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଛି । ତେବେ ଏହି ମାମଲାରେ କିଏ କିଭଳି ଜଡ଼ିତ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛି ପୋଲିସ୍ । ଅନ୍ୟପଟେ ସିପିଏମ ନେତା ଏବଂ ଟିଟିଡିର କଣ୍ଟ୍ରାକ୍ଟ କର୍ମଚାରୀଙ୍କ କହିବା ହେଉଛି,ଯେ ଟିଟିଡିର ଆୟରେ କମି ଏବଂ ଚୋରାଚାଲଣ ମଧ୍ୟରେ କ’ଣ ରହିଛି ସମ୍ପର୍କ ତାହାର ତଦନ୍ତ ହେବା ଉଚିତ୍ ।

Leave a Reply