ସୌର ଶକ୍ତିରେ ଚାଲିବ ପୁରା ବିଧାନସଭା, ସଞ୍ଚୟ ହେବ ୧ ଲକ୍ଷ ୧୮ ହଜାର ବିଦ୍ୟୁତ୍‌ ୟୁନିଟ୍

ଭୁବନେଶ୍ୱର: ଏଣିକି ସୌରଶକ୍ତିରେ ଚାଲିବ ବିଧାନସଭା । ବିଧାନସଭା ଛାତ ଉପରେ ଲାଗିବ ସୋଲାର ସିଷ୍ଟମ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ଲାଣ୍ଟ ଛାତର ବର୍ଖ ଅନୁସାରେ ୯୦ କିଲୋଓ୍ୱାଟ୍‌ର ପ୍ୟାନେଲ ଲାଗିବ ବୋଲି ସ୍ଥିର ହୋଇଛି । ସମ୍ପୂର୍ଣ୍ଣ ବିଧାନସଭା ସୌରଶକ୍ତି ଦ୍ୱାରା ପରିଚାଳିତ ହେବ । ଏହା ଦ୍ୱାରା ସରକାରଙ୍କର ବାର୍ଷିକ ୧ ଲକ୍ଷ ୧୮ ହଜାର ବିଦ୍ୟୁତ୍‌ ୟୁନିଟ୍‌ ସଂଚୟ ହେବ ।

ତେବେ ଏହି ସୋଲାର ସିଷ୍ଟମ୍‌ ଲଗାଇବା ପାଇଁ ମୋଟ୍‌ ୧୨୦ ଦିନର ସମୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାମ ସାରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ବୈଠକରେ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ଶେଷ ସୁଧା ପୁରା ବିଧାନସଭା ସୌରଶକ୍ତି ଚାଳିତ ହେବ ବୋଲି କୁହାଯାଇଛି । ଏହି ସୋଲାର ସିଷ୍ଟମ ପ୍ରକଳ୍ପରେ ମୋଟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏହାର ଦାୟିତ୍ୱ ଶାନ୍ତି ଆସୋସିଏଟ୍ସକୁ ଦିଆଯାଇଛି ।

ତେବେ ସୌରଶକ୍ତିରେ ଚାଳିତ ହେବା ପରେ ବହୁଳ ମାତ୍ରାରେ ବିଧାନସଭାର ବିଦ୍ୟୁତ୍‌ ବାବଦ ଦେୟ ମଧ୍ୟ ସଂଚୟ ହେବ ।

Leave a Reply