ନନ୍ଦିଘୋଷ ବ୍ୟୁରୋ : ଲୁହରେ ଭିଜିଲା ଅସ୍ତରଙ୍ଗର ଏଡବାଂଶ। ଗତକାଲିଠାରୁ ନିଖୋଜ ଥିବା ୭ ବର୍ଷର କୁନି ପୁଅ ଶୁଭ୍ରଜିତ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଦେବୀ ନଦୀରେ ଦୁଇ ଦିନ ଧରି ସର୍ଚ୍ଚ ଅପରେସନ ପରେ ଆଜି ସକାଳୁ ନଦୀ ପଠା ଅସନ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ତାଳଦା ପଞ୍ଚାୟତ ଏଡବାଂଶ ଗାଁର ପ୍ରଶାନ୍ତ ବେହେରାଙ୍କ ଏକମାତ୍ର ପୁଅ ଥିଲେ ଶୁଭ୍ରଜିତ। ମଙ୍ଗଳବାର ଅପରାହ୍ନରେ ଖେଳୁଥିବା ବେଳେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ। ଶେଷ ଥର ପାଇଁ ତାଙ୍କୁ ଦେବୀ ନଦୀ କୂଳରେ ଦେଖାଯାଇଥିଲା। ଏହାପରେ ପୁରା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ସେହି ସମୟରେ ଗାଁ ଦାଣ୍ଡରେ ଏକ ଅଚିହ୍ନା ଥାର୍ ଗାଡ଼ି ବୁଲୁଥିବା ଖବର ଆସିବାରୁ ଶୁଭ୍ରଜିତଙ୍କୁ ଅପହରଣ କରାଯାଇଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ଅସ୍ତରଙ୍ଗ ପୋଲିସ ତୁରନ୍ତ ପୁରୀରୁ ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ଆଣି ତଦନ୍ତ ଆରମ୍ଭ କରିଥିଲା। ଡଗ୍ ସ୍କ୍ୱାଡ୍ ଶୁଭ୍ରଜିତଙ୍କ ଡ୍ରେସ୍ ଶୁଙ୍ଘି ଘରଠାରୁ ସିଧା ଦେବୀ ନଦୀ କୂଳ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଡଗ୍ଟି ଅଟକି ଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଦୁଇ ଦିନ ଧରି ଦେବୀ ନଦୀରେ ସର୍ଚ୍ଚ ଅପରେସନ ଚାଲିଥିଲା। ଶେଷରେ ଆଜି ସକାଳେ ଦେବୀ ନଦୀ ପଠା ଅସନ ନିକଟରେ ଶୁଭ୍ରଜିତଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତଦେହ ଉଦ୍ଧାର ପରେ ମା’ଙ୍କ କାନ୍ଦରେ ଫାଟି ପଡୁଛି ପୁରା ଏଡବାଂଶ ଗାଁ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

