ବୋଟିଂ ବେଳେ ପାହାଡରୁ ଖସିଲା ପଥର, ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

1 min read

ରିଓ ଡି’ ଜେନେରିଓ: ଶନିବାର ବ୍ରାଜିଲର ମିନାସ୍ ଗେରୋସ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି । ବ୍ରାଜିଲର ଏକ ଜଳପ୍ରପାତରେ ଘଟିଛି ଏହି ଅଭାବନୀୟ ଘଟଣା । ଜଳପ୍ରପାତରେ ମୋଟର ବୋଟରେ ବସି ପର୍ଯ୍ୟଟକ ମଜ୍ଜା ନେଉଥିଲେ । କିନ୍ତୁ ଏହି ସମୟରେ ପାହାଡରୁ ଖସିଥିଲା ମୃତ୍ୟୁ । ହଠାତ୍ ପାହାଡରୁ ଏକ ବଡ଼ ପଥର ଖଣ୍ଡ ଖସିଥିଲା । ଏହି ପଥର ଖଣ୍ଡ ଦୁଇଟି ବୋଟ ଉପରେ ପଡ଼ିଥିଲା । ଯାହା ଫଳରେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଏବେବି ନିଖୋଜ ଅଛନ୍ତି ।

ପାହାଡ଼ରୁ ଖସି ଥିବା ଏହି ବିରାଟ ପଥର ଖଣ୍ଡ ବୋଟ୍ ଉପରେ ପଡ଼ିବାର ଦୃଶ୍ୟକୁ ସେଠାରେ ଥିବା ପର୍ଯ୍ୟଟକ ମୋବାଇଲରେ ଶୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଏବେ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ମିନାସ୍ ଗେରୋସର ରାଜ୍ୟପାଳ ରୋମୁ ଜେମାଙ୍କ ଅନୁଯାୟୀ, ପ୍ରବଳ ବର୍ଷା ହେତୁ କ୍ୟାପିଟାଲିଓର ଫର୍ନାସ୍ ହ୍ରଦରେ ଥିବା ପଥରର କିଛି ଅଂଶ ଭୁଶୁଡି ପଡିଛି । ଯାହା ଫଳରେ ୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ନିଖୋଜ ଅଛନ୍ତି ସେମାନଙ୍କ ସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ରୋମୁ ଜେମା ।

Leave a Reply