ଟୋକନ ବ୍ୟବସ୍ଥାକୁ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା: ଟୋକନ ବ୍ୟବସ୍ଥାକୁ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ । ଟାୟାର ଜାଳି କଲେ ରାସ୍ତା ଅବରୋଧ । ଯାହାକୁ ନେଇଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା । ଟୋକନ ଉଚ୍ଛେଦ ଦାବିରେ ଗତ ତିନ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଟୋକନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଚାଷୀ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଗତକାଲି ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଥିଲା ବରଗଡ ଜିଲ୍ଲା ପ୍ରଶାସନ । ହେଲେ ଆଲୋଚନା ବିଫଳ ହୋଇଥିଲା । ଏହାପରେ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ଚାଷୀ । ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ପୂର୍ବ ବର୍ଷ ଭଳି ପି. ପାସ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ ବୋଲି ଦାବିରେ ଅଟଳ ରହିଛନ୍ତି ଚାଷୀ ।

ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଟୋକନ ବ୍ୟବସ୍ଥା ଦ୍ୱାରା ଚାଷୀ ଲାଭବାନ ହେବେ । ବୁଧବାର ଅର୍ଥାତ୍ ଆଜିଠାରୁ ଧାନ କିଣା ଆରମ୍ଭ ହେବ । ଯେଉଁ ଧାନ ମାର୍କେଟୟାର୍ଡକୁ ପହଁଚି ସାରିଛି ସେସବୁକୁ ଅଗ୍ରାଧିକାର ଭିତ୍ତିରେ କିଣାଯିବ ।

 

Leave a Reply