ଆଠଗଡ଼ରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କଟକର ଆଠଗଡ ବିଧାନସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନୂଆ ମୁହଁ ଅଭୟ କୁମାର ବାରିକଙ୍କ ଉପରେ ଭରସା କରିଛି । ଏପଟେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି ଆଠଗଡର ପୂର୍ବତନ ବ୍ଲକ ସଭାପତି ସୁଦର୍ଶନ ସାହୁ। ସମସ୍ତ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ଧରି ଜୋରସୋରରେ ଚଲାଇଛନ୍ତି ପ୍ରଚାର ।

ରାଜ୍ଯ ରାଜନୀତିର ଗୁରୁତ୍ଵପୂର୍ଣ୍ଣ ନିର୍ବାଚନ ମଣ୍ଡଳି ମଧ୍ଯରୁ ଅନ୍ଯତମ ଆସନ ହେଉଛି ଆଠଗଡ଼। କାହାର ହେବ ଆଠଗଡ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡିର ହେବ କି ବିଜୟ ନା ବିଜେପି କିମ୍ବା  କଂଗ୍ରେସର ଉଡିବ ବାନା । ଏଥର ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୧୧ ହଜାର ୪୯୦ଜଣ ଭୋଟର । ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଜୋରଦାର ଚଲାଇଛନ୍ତି ପ୍ରଚାର । ବାଇକ ରାଲି, ରୋଡ ଶୋ, କର୍ମୀ ସମ୍ମିଳନୀ ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ  । ବିଜେଡି ପକ୍ଷରୁ ମଇଦାନରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେପିରୁ ଅଭୟ କୁମାର ବାରିକ ଓ କଂଗ୍ରେସରୁ ସୁଦର୍ଶନ ସାହୁ ପ୍ରାର୍ଥୀ ହୋଇଛନ୍ତି ।

୧୯୯୦ ପରଠାରୁ ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳିରୁ ୭ ଥର ଲଢେଇ କରି ବିଜୟ ମୁକୁଟ ପିନ୍ଧିଛନ୍ତି ବିଜେଡିର ରଣେନ୍ଦ୍ର। ୨୦୦୯ ମସିହାରେ ରଣେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହେବାରୁ ତାଙ୍କ ସମର୍ଥନରେ ରମେଶ ରାଉତ ବିଜୟ ଲାଭ କରିଥିଲେ । ୨୦୧୨ ଉପନିର୍ବାଚନରେ ପୁଣି ରଣେନ୍ଦ୍ର ବିଜେଡିରୁ ଲଢି ବିଧାୟକ ହୋଇଥିଲେ। ୨୦୧୯ ରେ ମଧ୍ଯ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ୯୮ ହଜାର ୧୧୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ବଜେନ୍ଦ୍ର କୁମାର ରାୟ ୪୦ ହଜାର ୧୧୯, କଂଗ୍ରେସରୁ ଉମା ବଲ୍ଲଭ ରଥ ୧୦ ହଜାର ୯୩୪, ସ୍ଵାଧୀନ ପ୍ରାର୍ଥୀ ଅଭୟ କୁମାର ବାରିକ ୧୦ ହଜାର ୩୨୪ ଭୋଟ ପାଇଥିଲେ । ଏଥର ମଧ୍ଯ ବିଜେଡି ସପକ୍ଷରେ ଅଛି ହାୱା ।