ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ହେବ ବଡ଼ ଲଢ଼େଇ

1 min read

ନନ୍ଦିଘୋଷ ବ୍ୟୁରୋ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ବିଗ୍ ଫାଇଟ୍ । କିଏ ହାତେଇବ ଆଠମଲ୍ଲିକ ଆସନ ? କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଆସନ୍ତା ୨୫ରେ ଏଠାରେ ପଡିବ ଭୋଟ । ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ଯରେ କଡା ଟକ୍କର ହୋଇପାରେ। ତେବେ ଜନତାଙ୍କ ମତ ହେଲା-ବିକାଶ ଯେଉଁଠି,ଭୋଟ ସେଇଠି ।

ସଭା, ସମିତି ଶୋଭାଯାତ୍ରା । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ଗାଁ ଦାଣ୍ଡ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳିରେ ବଢିବାରେ ଲାଗିଛି ନିର୍ବାଚନୀ ପାରଦ । ୨୦୦୦ ମସିହାରୁ ବିଜେଡିର ଅଭେଦ୍ଯ ଗଡ ରହିଛି ଏହି ଆସନ । ଏଥର ମୁଖ୍ଯତଃ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ଯରେ ହେଉଛି ଲଢେଇ । ବିଜେଡିରୁ ନଳିନୀ କାନ୍ତ ପ୍ରଧାନ, ବିଜେପିରୁ ସଂଜୀବ ସାହୁ, କଂଗ୍ରେସରୁ ହିଂମାଶୁ ଚାଉଳିଆ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଇ କରୁଛନ୍ତି ଆଶୀର୍ବାଦ ଭିକ୍ଷା ।

୨୦୦୯ ମସିହାରେ ବିଜେଡି  ପ୍ରାର୍ଥୀ ସଂଜୀବ ସାହୁ ୬୧ ହଜାର ୩୮୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୧୨ ହଜାର ୬୭୪, କଂଗ୍ରେସର ମୌସୁମୀ ପ୍ରଧାନ ୪୨ ହଜାର ୪୦୭ ଭୋଟ ପାଇଥିଲେ । ୨୦୧୪ ମସିହାରେ ପୁଣି ବିଜେଡି କବଜାକୁ ଯାଇଥିଲା ଏହି ଆସନ । ବିଜେଡିରୁ ସଂଜୀବ ସାହୁ ୬୩ ହଜାର ୨୨୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିରୁ ଭାଗିରଥି ପ୍ରଧାନ ୨୨ ହଜାର ୪୬୩, କଂଗ୍ରେସର ସୁରେନ୍ଦ୍ର ପ୍ରଧାନ ୪୩ ହଜାର ୬୮୯ ଭୋଟ ପାଇଥିଲେ । ୨୦୧୯ରେ ବିଜେଡି ସଂଜୀବ ସାହୁଙ୍କ ବଦଳରେ ରମେଶ ସାଏଙ୍କୁ ପ୍ରାର୍ଥୀ କରିଥିଲା । ରମେଶ ସାଏ ୮୬ ହଜାର ୨୫୪ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୩୯ ହଜାର ୭୦, କଂଗ୍ରେସର ବିଜୟାନନ୍ଦ ଚାଉଳିଆ ୩୦ ହଜାର ୯୨୫ ଭୋଟ ପାଇଥିଲେ ।

ଚଳିତ ନିର୍ବାଚନରେ ୨ ଲକ୍ଷ ୮ ହଜାର ୭୭୧ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୫ ହଜାର ୯୨୦, ମହିଳା ୧ ଲକ୍ଷ ୨ ହଜାର ୮୪୩ ଏବଂ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୮ ଜଣ ଅଛନ୍ତି । ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଅଞ୍ଚଳରେ ରାସ୍ତାଘାଟ, ସ୍କୁଲ, କଲେଜ ସମେତ ଷ୍ଟାଡିୟମ ଓ ପାର୍କ ଆଦିର ହୋଇଛି ଉନ୍ନତିକରଣ । ତେଣୁ ବିକାଶ ହିଁ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି ।