ବେଳାଭୂମିରୁ ବାର ସବୁ ଖୋଲିବ, କିନ୍ତୁ ସବୁ ଦିନ ପାଇଁ ଖୋଲା ରହିବା ନିର୍ଭର କରୁଛି ଆପଣଙ୍କ ଉପରେ

1 min read

ଭୁବନେଶ୍ୱର : ଅଗଷ୍ଟ ପାଇଁ ସରକାର କୋଭିଡ ଲକଡାଉନ୍ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏହା ଅନୁସାରେ ପୁରା ରାଜ୍ୟରେ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଦୋକାନ, ବଜାର ଖୋଲା ରହିବ । ସବୁଠାରୁ ବଡ କଥା ହେଉଛି ସରକାର ସିନେମା ହଲ, ସି-ବିଚ୍ , ବାର ଓ ଯାତ୍ରା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଅନୁମତି ସହିତ ରହିଛି ସର୍ତ୍ତ । ସର୍ତ୍ତ ଅନୁସାରେ ଲୋକ ଯଦି ସି-ବିଚକୁ ଯିବେ ତେବେ କରୋନା ଗାଇଡ୍ ଲାଇନ୍ ମାନି ସାମାଜିକ ଦୂରତା ବଜାୟ ରଖି ଭ୍ରମଣ କରିପାରିବେ । ସେହିଭଳି ସିନେମା ହଲ ଓ ଯାତ୍ରାକୁ ମଧ୍ୟ କଟକଣା ଭିତରେ ଖୋଲିବାକୁ ଅନୁମତି ମିଳିଛି ।

ସିନେମା ହଲ ନିଜ ମୋଟ୍ ସିଟ୍ କ୍ଷମତାର ୫୦ ପ୍ରତିଶତ ହିଁ ବିକ୍ରି କରିପାରିବେ । ଏହା ସହିତ ସେମାନଙ୍କୁ ସିଟ୍ ସିଟ୍ ମଧ୍ୟରେ ଅନ୍ତର ମଧ୍ୟ ରଖିବାକୁ ପଡିବ । ସାମାଜିକ ଦୂରତା ବଜାୟ ରଖିବାକୁ ଏହା ଜରୁରୀ । ପୁଣି ସରକାର ଏହା ମଧ୍ୟ କହିଛନ୍ତି ଯେ, ସିନେମା ଦେଖିବାକୁ ଯାଉଥିବା ପ୍ରାପ୍ତବୟସ୍କ ଯେମିତି କରୋନା ଟିକାର ଦୁଇ ଡୋଜ୍ ନେଇଥିବେ । ଦୁଇ ଡୋଜ୍ ଟିକା ନେଇଛନ୍ତି ବୋଲି ଦର୍ଶକଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆଉ ଏହି ପ୍ରମାଣ ପତ୍ର ଯାଂଚ୍ କରିବା ଦାୟିତ୍ୱ ହେଉଛି ସିନମା ହଲ କର୍ତ୍ତୁପକ୍ଷଙ୍କର । ସେହିପରି ବାର, ଯାତ୍ରା ପାଇଁ ମଧ୍ୟ ଏହି ଭଳି ସର୍ତ୍ତ ରଖାଯାଇଛି ।

ସରକାରଙ୍କ କହିବା ହେଉଛି ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ରହିଛି । କିନ୍ତୁ ତିନୋଟି ଜିଲ୍ଲାରେ ସଂକ୍ରମଣ ହାର ଉଦବେଗଜନକ ଭାବେ ବଢୁନଥିଲେ ମଧ୍ୟ ବଢୁଛି । ଯାହାର ଅର୍ଥ ହେଉଛି ଏହି ତିନି ଜିଲ୍ଲାରେ ଏବେ ମଧ୍ୟ ଲୋକ କରୋନା ପ୍ରୋଟୋକଲକୁ ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ହାର କମିବା ପରିବର୍ତ୍ତେ ବଢୁଛି । ଜୀବନ ଓ ଜୀବିକା ମଧ୍ୟରେ ସାମଞ୍ଜସ୍ୟ ରଖିବାକୁ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହା ଜରୁରୀ ମଧ୍ୟ ଥିଲା । ତେବେ କଥା ହେଉଛି ତୃତୀୟ ପ୍ରବାହର ଭୟ । ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣର ତୃତୀୟ ପ୍ରବାହ ଆରମ୍ଭ ହେଲାଣି ବୋଲି ବିଶେଷଜ୍ଞ କହିଲେଣି । ଏମିତିରେ ଅନଲକ୍ ଭିତରେ ସତର୍କ ରହିବାର ଆବଶ୍ୟକତା ରହିଛି । କାରଣ ଆଗରୁ ମଧ୍ୟ ଆମେ ଅନଲକରୁ ପୁଣି ଲକଡାଉନ୍ ଭିତରକୁ ଆସିଛେ ।

ପ୍ରଥମ ଲକଡାଉନ୍ ପରେ ଆରମ୍ଭ ହୋଇଥିଲା ଅନଲକ୍ ପ୍ରକ୍ରିୟା । କିନ୍ତୁ ଭାରତର ପ୍ରାୟ ସବୁ ରାଜ୍ୟରେ ଲୋକ ଭାବିନେଇଥିଲେ ଯେ, କରୋନା ଚାଲିଗଲା । ଏହାପରେ ଲୋକଙ୍କ ମଧ୍ୟରେ ନା ରହିଥିଲା ସାମାଜିକ ଦୂରତା ନା କରୋନା ପ୍ରତି ଭୟ । ଯାହାର ପରିଣାମ ଥିଲା ଦ୍ୱିତୀୟ ପ୍ରବାହ । ଯାହା ଭାରତର ଅନେକ ରାଜ୍ୟରେ ଆତଙ୍କଜନକ ସ୍ଥିତି ସୃଷ୍ଟି କରିଥିଲା । ଓଡ଼ିଶା ଯଦିଓ ଅକ୍ସିଜେନ୍ ଅଭବାରୁ ବର୍ତ୍ତିଯାଇଥିଲା ତେବେ ମଧ୍ୟ ଦିଲ୍ଲୀ ଭଳି ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତା’ର ଚିତ୍ର ଏବେ ମଧ୍ୟ ମନରେ ଥିବ । ଯଦି ସେଇ ଚିତ୍ରକୁ ଆପଣ ଭୁଲି ଯାଇଛନ୍ତି ତେବେ ଜାଣନ୍ତୁ ଆପଣ ତୃତୀୟ ପ୍ରବାହ ପାଇଁ ଦାୟୀ ରହିବ ।

ସରକାର ଜୀବିକା ପାଇଁ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବାର, ରେସ୍ତୋଁରା, ସିନେମା ହଲ ଭଳି ଅନେକ ସଂସ୍ଥାନର କର୍ମଚାରୀ ଲକଡାଉନ୍ କାରଣରୁ ଆର୍ଥିକ ଭାବେ ପ୍ରଭାବିତ ହୋଇଥିଲେ । ସେମାନଙ୍କ ଚାକିରି ଚାଲିଯାଇଥିଲା । ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଛି । କିନ୍ତୁ ଅନଲକରୁ ପୁଣି ଗୋଟିଏ ଲକଡାଉନ୍ ଭିତରକୁ ନଯିବା ସମ୍ପୂର୍ଣ୍ଣ ଭାବେ ନାଗରିକଙ୍କ ଦାୟିତ୍ୱବୋଧ ଉପରେ ନିର୍ଭର କରୁଛି । ଯଦି ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନ ଚଳନ୍ତି ତେବେ ସଂକ୍ରମଣ ହାର କମିବ ଓ ପୁଣି ଗୋଟିଏ ଲକଡାଉନର ଆବଶ୍ୟକତା ପଡିବ ନାହିଁ ।

Leave a Reply