ଅଷ୍ଟ୍ରେଲିଆରେ କଡ଼ା ହେଲା ଆଇନ : ୧୬ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା

1 min read

ନନ୍ଦିଘୋଷ ବ୍ୟୁରୋ :  ଅଷ୍ଟ୍ରେଲିଆରେ ଏଣିକି ୧୬ ବର୍ଷରୁ କମ୍ ବୟସର ପିଲା ବ୍ଯବହାର କରିପାରିବେନି ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ । ଅଷ୍ଟ୍ରେଲିଆ ସାଂସଦରେ ଗୃହୀତ ହୋଇଛି ଏହି ଐତିହାସିକ ପ୍ରସ୍ତାବ । ବିଶ୍ବରେ ପ୍ରଥମ ଥର ଲାଗି ଏହି ବ୍ଯାନ ସୋସିଆଲ ମିଡିଆ ଉପରେ ଲାଗିଛି । ଦେଶର ଉଭୟ ସଦନରେ ଏହି ବିଲ୍ ପାସ୍ ହେବା ଫଳରେ କମ୍ ବୟସର ପିଲାଙ୍କ ଆକାଉଣ୍ଟ ଖୋଲିବା ଏଣିକି ସମ୍ଭବ ହୋଇପାରିବ ନାହିଁ । ଯେଉଁ ପ୍ଲାଟଫର୍ମ ଏହି ନିୟମ ପାଳନରେ ବ୍ଯର୍ଥ ହେବେ ସେମାନଙ୍କ ଉପରେ ପ୍ରାୟ ୩୨.୬ ମିଲିୟନ ଡଲାରର ଜରିମାନା ବ୍ଯବସ୍ଥା କରାଯାଇଛି । ଏହି କଡା ବିଲ୍ ଗତ ବୁଧବାର ନିମ୍ନ ସଦନରେ ଓ ଗୁରୁବାର ଉଚ୍ଚ ସଦନରେ ଗୃହୀତ ହୋଇଥିଲା ।

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ବିଲକୁ ନେଇ କେନ୍ଦ୍ରୀୟ-ବାମପନ୍ଥୀ ନେତା ତଥା ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାଲିଜ ବେଶ ଆଶାବାଦୀ ଅଛନ୍ତି । ପିଲାଙ୍କୁ ନୈତିକତା ଅଭିମୁଖୀ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଥିବାବେଳେ କିଶୋରକିଶୋରୀଙ୍କଠାରୁ ବିରୋଧାଭାସ ଆସିଛି । ଟ୍ୟୁଟୋରିଆଲ, ଆର୍ଟ କ୍ଷେତ୍ରରେ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଶିକ୍ଷା କ୍ଷେତ୍ରରେ ସୋସିଆଲ ମିଡିଆ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀ । ତେବେ ପିଲାମାନଙ୍କୁ ହ୍ବାଟସଆପ, ୟୁଟ୍ଯୁବ ଆଦି ବ୍ଯବହାର କରିବାରେ ପ୍ରତିବନ୍ଧକ ଲଗାଯାଇ ନପାରେ ବୋଲି ସୂଚନା ମିଳିଛି । ସ୍ପେନ, ଫ୍ଲୋରିଡା ଆଦି ଦେଶରେ ନାବାଳକ, ନାବାଳିକାଙ୍କ ଲାଗି ସୋସିଆଲ ମିଡିଆ ବ୍ଯାନ ଲାଗି ପ୍ରସ୍ତାବ ଦିଆଯାଇଥିବାବେଳେ ଚୀନରେ ଏକ ବିଚିତ୍ର ନିୟମ ରହିଛି । ୧୪ବର୍ଷରୁ କମ ବୟସର ପିଲାମାନେ ଦୋୟୁନି ପ୍ଲାଟଫର୍ମକୁ ଦିନରେ ସର୍ବାଧିକ ୪୦ ମିନଟ ବ୍ଯବହାର କରିବାର ପ୍ରାବଧାନ ରହିଛି । ଚୀନରେ ଅନଲାଇନ ଗେମିଂ ଉପରେ ବି ସୀମିତ କଟକଣା ରହିଛି ।