ଏସିଆ କପରେ ପାକିସ୍ତାନୀ କ୍ରିକେଟରଙ୍କ ହାତ ନମିଳାଇବା ପ୍ରସଙ୍ଗ : ଏମିତି ଭିଡିଓ କରି ଭାରତୀୟ ଖେଳାଳୀଙ୍କ ମଜାକ ଉଡ଼ାଇଲେ ଅଷ୍ଟ୍ରେଲୀୟ ଖେଳାଳି..

ନନ୍ଦିଘୋଷ ବ୍ୟୁରୋ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ସରିବା ପରେ ଏବେ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ଭେଟିବ ଭାରତ । ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର କିଛି ପୁରୁଷ ଖେଳାଳି ଏବଂ ମହିଳା ଖେଳାଳି ଭାରତୀୟ କ୍ରିକେଟ ଦଳର ଏକପ୍ରକାର ମଜାକ୍ ଉଡ଼ାଉଛନ୍ତି । ଏସିଆ କପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ନମିଳାଇବା ପ୍ରସଙ୍ଗକୁ ଏପରି ଏକ ଭିଡିଓ କରାଯାଇଛି । ଅଷ୍ଟ୍ରେଲିଆର ସ୍ପୋର୍ଟ୍ସ ଷ୍ଟ୍ରିମିଂ ପ୍ଲଟଫର୍ମ କାୟୋ ପକ୍ଷରୁ ଏକ ପ୍ରୋମୋ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ହାତ ନମିଳାଇବା ପ୍ରସଙ୍ଗକୁ ନେଇ ଉପହାସ କଲା ଭଳି ଜଣାପଡ଼ୁଛି । ସେମାନଙ୍କ କଥା ସହ ଇଙ୍ଗିତ ମଧ୍ୟ ସେଭଳି ରହିଛି । ତେବେ ଏହି ଭିଡିଓଟି ଏବେ ହଟାଯାଇଛି । ମାତ୍ର ସେହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅଷ୍ଟ୍ରେଲିୟ ଖେଳାଳିଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି କିଛି କ୍ରିକେଟପ୍ରେମୀ । ଯଦିଓ କୁହାଯାଇଛି କି, ଏହି ଭିଡିଓଟି କେବଳ ମନୋରଞ୍ଜନ ପାଇଁ କରାଯାଇଥିଲା ମାତ୍ର ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିବା ବେଳେ କୁହାଯାଇଥିଲା କି, ଏହା ଭାରତୀୟ ଖେଳାଳିଙ୍କ ମଜାକ୍ ଉଡ଼ାଇଛି । ଶେଷରେ ଏହାକୁ ମଧ୍ୟ ହଟାଯାଇଛି ।