ସାବଧାନ ! ରାଜଧାନୀରେ ଅଟୋ ଚାଳକ ବେଶରେ ମାତିଛନ୍ତି ଲୁଟେରା, ଚା’ରେ ନିଶା ଦେଇ ଯାତ୍ରୀଙ୍କୁ ଲୁଟିଲେ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବଢ଼ିବାରେ ଲାଗିଛି ଅପରାଧ । କମିଶନରେଟ ପୋଲିସ ରାଜଧାନୀକୁ କ୍ରାଇମ୍ ଫ୍ରି ଜୋନ୍ କରିବାକୁ ପଦକ୍ଷେପ ନେଉଥିଲେ ବି ଅପରାଧୀଙ୍କ ଉପରେ କିଛି ପ୍ରଭାବ ପଡ଼ିବା ଭଳି ଲାଗୁନି । କେତେବେଳେ ରାଜଧାନୀ ରକ୍ତ ରଞ୍ଜିତ ହେଉଛି ତ ଆଉ କେତେ ବେଳେ ବିଚ୍ ରାସ୍ତାରେ ଲୁଟର ଶିକାର ହେଉଛନ୍ତି ଲୋକେ । ଲୁଟେରା ଗ୍ୟାଙ୍ଗ କଥା ଛାଡନ୍ତୁ, ଅଟୋ ଚାଳକ ବେଶରେ କି ଲୁଟୁଛନ୍ତି ନିଶା ଦେଇ । ଏମିତି ଖବର ଭିତରେ ରାଜଧାନୀରେ ଏବେ ମାତିଛନ୍ତି ନିଶାଦିଆ ଲୁଟେରା । ନିଶା ଖୁଆଇ ଲୋକଙ୍କୁ କରୁଛନ୍ତି ଲୁଟ୍ ।

ଚା’ରେ ନିଶା ଦେଇ ଲୁଟି ନେଲେ ସୁନା ଚେନ, ସୁନା ମୁଦି ମୋବାଇଲ୍ ଓ ଟଙ୍କା । ଭୋରୁ ଭୋରୁ ରାଜଧାନୀରେ ଘଟିଛି ଘଟଣା । ଲୁଟର ଶିକାର ହୋଇଛନ୍ତି ବାଙ୍କୀ ବଇଦେଶ୍ବରର ରବି ନାରାୟଣ ମହାପାତ୍ର । ଗତକାଲି ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୁବନେଶ୍ୱର ଷ୍ଟେସନରେ ସାଢ଼େ ୪ଟା ବେଳେ ଓହ୍ଲେଇ ଅଟୋରେ କଳିଙ୍ଗବିହାର ବାହାରି ଥିଲେ । ରାସ୍ତାରେ ଅଟୋରେ ଯିବା ବେଳେ ଲୁଟର ଶିକାର ହୋଇଥିବା କରିଛନ୍ତି । ଅଟୋ ଚାଳକ ଚା’ରେ ନିଶା ଦେଇ ସୁନା ମୁଦି, ୧୭ ହଜାର ଟଙ୍କା, ସୁନା ଚେନ, ମୋବାଇଲ୍ ଲୁଟି ନେଇଛନ୍ତି ।

ଲୁଟ ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ । ସକାଳୁ ପାର୍କକୁ ଆସୁଥିବା ଲୋକେ ଦେଖି ପିସିଆରକୁ ଖବର ଦେଇଥିଲେ । ରବି ବୁଲିବା ପାଇଁ ଦିଲ୍ଲୀ ଏକୁଟିଆ ଯାଇଥିଲେ । ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏୟାର ଫିଲ୍ଡ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।