ଜି-୨୦ ସମ୍ମିଳନୀ: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

1 min read

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି । ସେପ୍ଟେମ୍ବର ୭ ତାରିଖରେ ବାଇଡେନ ଦିଲ୍ଲୀରେ ପହଞ୍ଚି ତା ପର ଦିନ ଅର୍ଥାତ ୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ।

ସେପ୍ଟେମ୍ବର ୯ ଏବଂ ୧୦ରେ ନୂଆଦିଲ୍ଲୀରେ ବସିବ ଜି-୨୦ ଶିଖର ସମ୍ମିଳନୀ ବୈଠକ । ଏହି ଶିଖର ସମ୍ମିଳନୀର ଭାରତ ନେତୃତ୍ବ ନେଉଛି । ଏହି ଅବସରରେ ୟୁକ୍ରେନ-ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇ ପାରିବ ସେ ନେଇ ସମ୍ମିଳନୀରେ ମତ ରଖିବେ ବାଇଡେନ । ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ସମାଧାନ ସହିତ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କର କ୍ଷମତା ବୃଦ୍ଧି କରାଯାଇ ପାରିବ ସେ ଉପରେ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି ।

ବିଶ୍ବର ବହୁ ପ୍ରଭାବଶାଳୀ ନେତା ଯୋଗଦେଉଥିବାରୁ ଦିଲ୍ଲୀ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି । ତେବେ ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ସବୁଠୁ କଡା । ବାଇଡେନଙ୍କ ଲ୍ୟାଣ୍ଡିଂ ପୂର୍ବରୁ ଏୟାର ସ୍ପେଶକୁ ବନ୍ଦ କରିଦିଆଯିବ । ଯେପର୍ଯ୍ୟନ୍ତ ବାଇଡେନଙ୍କ କାରକେଡ ହୋଟେଲ ଯାଏଁ ନପହଞ୍ଚିଛି ସେଯାଏଁ ଏୟାର ସ୍ପେଶ ବନ୍ଦ ରହିବ । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ୪ ରନୱେ ମଧ୍ୟରୁ କୌଣସି ଗୋଟିଏକୁ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାର ଫୋର୍ସ ୱାନ ବ୍ୟବହାର କରିବ । ଏଥିରୁ ଗୋଟିଏ ବିକଳ୍ପ ବାଛିବାକୁ ପାଇଲଟକୁ କ୍ଷମତା ଦିଆଯାଇଛି ।

ବାଇଡେନଙ୍କ ବିମାନ ଲ୍ୟାଣ୍ଡ କଲାପରେ ତା ପୂର୍ବରୁ କିମ୍ବା ପରେ ଆଉ ଏକ ସମାନ ମଡେଲର ବିମାନ ମଧ୍ୟ ଲ୍ୟାଣ୍ଡ କରିବ । କାରଣ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ନେକ୍ସଟ ଲେଭେଲରେ କରାଯାଇଥାଏ । କେଉଁ ବିମାନରେ ରାଷ୍ଟ୍ରପତି ଆସୁଛନ୍ତି କାହାରିକୁ ମାଲୁମ ନଥାଏ । ଲ୍ୟାଣ୍ଡିଂ ପରେ ବିମାନରୁ ବାହାରିବା ଯାଏଁ ପ୍ରକ୍ରିୟା ୨୦ ମିନିଟ ଧରି ଚାଲିଥାଏ । ଜି-୨୦ ପାଇଁ ଦିଲ୍ଲୀରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହେବେ । ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀରେ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।