ବଙ୍ଗୋପ ସାଗରରେ ବ୍ୟାକ ଟୁ ବ୍ୟାକ ଲଘୁଚାପ: ୧୬ ତାରିଖ ଯାଏଁ ପ୍ରବଳ ବର୍ଷା, ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
1 min read
ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଲାଣି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଗୋଟିଏ ଲଘୁଚାପ ପ୍ରଭାବ ନଯାଉଣୁ ପୁଣି ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ପ୍ରଭାବରେ ୧୧ରୁ ୧୬ ଯାଏଁ ପୁଣି ବର୍ଷା ଲାଗି ରହିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ୧୦ ତାରିଖ ଯାଏଁ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର I
ଗୋଟିଏ ଲଘୁଚାପର ପ୍ରଭାବ ନକମୁଣୁ ଆଉ ଏକ ଲଘୁଚାପ ସମ୍ଭାବନା । ମୌସୁମୀ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆହୁରି ୫ ଦିନ ବର୍ଷିବା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି I ୧୦ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରିଛି କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ଝଟକା ପବନ ୩୦ରୁ ୪୦ କିମି ରହିପାରେ । ୨୪ ଘଣ୍ଟାରେ ବରଗଡ଼ର ପଦ୍ମପୁର ଓ ରାୟଗଡ଼ା ପଦ୍ମପୁରରେ ୮୮.୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।
ଟ୍ରପଲାଇନର ପ୍ରଭାବ ନ କମୁଣୁ ସେପଟେ ପୁଣି ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଅଧିକ ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେବ I ଯାହାର ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି I ରାଜ୍ୟରେ ବ୍ୟାକ ଟୁ ବ୍ୟାକ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଛି । ତେଣୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।