ଓଡ଼ିଶାରେ ସତର୍କ ଘଣ୍ଟି। ବଢ଼ୁଛି ପ୍ରଦୂଷଣ ମାତ୍ରା। ରାଜ୍ୟରେ ୭ଟି ଶିଳ୍ପ ସହରରେ ସ୍ଥିତି ସଙ୍ଗୀନ। ଭୁବନେଶ୍ବର, କଟକ, ବାଲେଶ୍ବର, ଯାଜପରୁ, ଅନୁଗୁଳ, ରାଉରକେଲା ଓ ତାଳଚେରର ବାୟୁରମାନ ସୂଚକାଙ୍କ ଲଗାତାର ୩୦୦ ପାର କଲାଣି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସେପଟେ ପରିବେଶବିତ କହିଛନ୍ତି, ଖଣି ଖନନ ଓ ନିର୍ମାଣ କାର୍ଯ୍ୟ ପ୍ରଦୂଷଣର ମୁଖ୍ୟ କାରଣ । ୭ଟି ସହରର ପବନରେ ବିଷ। ବିଷାକ୍ତ ହେଉଛି ଓଡ଼ିଶାର ବାୟୁ। ଦିନକୁ ଦିନ ବଢ଼ୁଛି ପ୍ରଦୂଷଣ ମାତ୍ରା। ବିପଦରେ ଭୁବନେଶ୍ବର, କଟକ, ବାଲେଶ୍ବର, ଯାଜପୁର, ଅନୁଗୁଳ, ରାଉରକେଲା ଓ ତାଳଚେର ସହର। ଏସବୁ ସହରରେ ବାୟୁର ମାନ ୩୦୦ ପାର କଲାଣି। ଦିଲ୍ଲୀ ପରେ ଓଡ଼ିଶାରେ ବାୟୁ ପ୍ରଦୂୂଷଣ ମାତ୍ରା ଚିନ୍ତାର କାରଣ ପାଲଟିଲାଣି। ଏବେ ସରକାର ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି ମାଷ୍ଟର ପ୍ଲାନ। ଏ ନେଇ ପ୍ରଦୂଷଣ ରିପୋର୍ଟ ମାଗିଛନ୍ତି ସରକାର। ଚଳିତବର୍ଷ ଭୁବନେଶ୍ବର ୩୦୦, କଟକ ୩୦୩, ବାଲେଶ୍ବର ୩୧୮, ବାରିପଦା ୩୨୪, ଅନୁଗୁଳ ୩୨୬, ତାଳଚେରରେ AQI ୩୩୫ ଛୁଇଁଲା । ଯାଜପୁର ଶିଳ୍ପାଞ୍ଚଳ କଳିଙ୍ଗନରରେ ଅବସ୍ଥା ବି ସଙ୍ଗୀନ । ଏ ସବୁ ସହରର ରିପୋର୍ଟ ମାଗିଛି ଜଙ୍ଗଲ ଓ ପରିବେଶ ବିଭାଗ । ଯେହେତୁ ଏ ସବୁ ଅଞ୍ଚଳରେ ଅନେକ ପ୍ରଦୂଷଣ ଉତ୍ସ ରହିଛି ସେଥିପାଇଁ ଏହିସବୁ ସ୍ଥାନ ଚିହ୍ନଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାରପିଦା ସହରରେ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୫ ଏକରର ଜମିର ୧୭୮୯ ଗଛ କଟା ଯାଇଥିଲା । ପରିବେଶକୁ ଦୃଷ୍ଟିରେ ରଖି ଏହାକୁ ସ୍ଥାନୀୟ ଲୋକ ବିରୋଧ ବି କରିଥିଲେ । ହେଲେ ଗଛ କଟା ହେଲା । ସେପଟେ ଏହାର ଏକ ସପ୍ତାହ ଭିତରେ ବାରିପଦା ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ପହଞ୍ଚିଲା । ଗତ ଦୀପାବଳି ସମୟରୁ ଲଗାତାର ଭାବେ ଭୁବନେଶ୍ବର ଓ କଟକର ପ୍ରଦୂଷଣ ମାତ୍ରା ଦିଲ୍ଲୀ ସହ ସମାନ ଚାଲିବାରୁ ଚିନ୍ତା ବଢିଥିଲା ।ଜଳ ସିଞ୍ଚନ, ମେକାନିକାଲ ସୁ ପରି ବ୍ୟବସ୍ଥା କରିବାକୁ ବାରମ୍ବାର ପୌର ସଂସ୍ଥା ଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖୁଛି । ସହରାଞ୍ଚଳରେ ମେକାନିକାଲ ସୁଇପିଂ ବ୍ଯବସ୍ଥା ଅଧିକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଖାଲି ସେତିକି ନୁହେଁ, ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ବି ପ୍ରଦୂଷଣ ବୃଦ୍ଧିର କାରଣ ପାଲଟିଛି । ୨୦୧୮ ମସିହାରେ ତତ୍କାଳୀନ ରାଜ୍ଯ ସରକାର ରାଜ୍ୟର ୭ଟି ସହରର ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିଲେ । ହେଲେ କମ୍ପାନୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପ୍ରଦୂଷଣ କମିବା ବଦଳରେ ବଢି ଚାଲିଲା ବୋଲି ଅଭିଯୋଗ କରିଛନ୍ତି ବିଶେଷଜ୍ଞ ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ । ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ଦିଲ୍ଲୀ ୨୬୫ରେ ରହିଛି । ଅଥଚ ଓଡ଼ିଶାର ସହରମାନଙ୍କରେ ବାୟୁର ମାନ ଦିନକୁ ଦିନ ଖରାପ ହେବାରେ ଲାଗିଛି।

