ଉତ୍ତରପ୍ରଦେଶରେ କ’ଣ ହେଲା ବାହୁବଳୀଙ୍କ ସ୍ଥିତି ? କିଏ ଜିତିଲେ, କିଏ ହାରିଲେ

1 min read

ଲକ୍ଷ୍ନୌ: ୩୧ ବର୍ଷ ପରେ ବଦଳୁଛି ଉତ୍ତର ପ୍ରଦେଶ ଇତିହାସ । ଦ୍ବିତୀୟ ଥର ପାଇଁ ଲଗାତର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ସଂଖ୍ୟଗରିଷ୍ଠ ଠାରୁ ବହୁ ଅଧିକ ଆସନ ଜିତି ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି । ତେବେ ଏହି ନିର୍ବାଚନରେ ୟୁପି ବାହୁବଳୀଙ୍କ ଦବଦବା କମିଛି । ଉତ୍ତର ପ୍ରଦେଶ ଭୋଟର ଅପରାଧ ଦୁନିଆର ଏହି ବାହୁବଳୀଙ୍କୁ ଭୋଟରେ ଉତ୍ତର ଦେଇଛନ୍ତି । ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ୭ ବାହୁବଳୀଙ୍କ ମଧ୍ୟରୁ ୪ ଜଣଙ୍କ ବିଜୟ ହୋଇଥିବା ବେଳେ ୩ ଜଣ ପରାଜିତ ହୋଇଛନ୍ତି । ଏମିତି କି ତିନି ବାହୁବଳୀଙ୍କ ପତ୍ନୀ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଆସନ୍ତୁ ଜାଣିବା ୟୁପିର ଏହି ବହୁବଳୀମାନେ କିଏ ? କେଉଁ ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ଜିତିଲେ ନା ହାରିଲେ ?

ରାଜା ଭୟାଙ୍କ ବିଜୟ

ପ୍ରତାପଗଡ଼ର କୁଣ୍ଡା ସିଟରୁ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୟା ଲଗାତର ୭ମ ଥର ପାଇଁ ବିଜୟୀ ହୋଇଛନ୍ତି । ସେ ସମାଜବାଦୀ ପାର୍ଟୀ ପ୍ରାର୍ଥୀ ଗୁଲଶନ ଯାଦବଙ୍କୁ ୩୦ ହଜାର ୩୧୫ ଭୋଟରେ ପରାସ୍ତ କରିଛନ୍ତି । ରାଜାଙ୍କୁ ୯୯ ହଜାର ୬୧୨ ଭୋଟ ମିଳିଥିବା ବେଳେ ଗୁଲଶନଙ୍କୁ ୬୯ ହଜାର ୨୯୭ ଭୋଟ ମିଳିଛି । ସୂଚନାଯୋଗ୍ୟ ରାଜା ଭୟା ପ୍ରଥମ ଥର ପାଇଁ ନିଜ ଦଳ ଜନସତ୍ତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ତାଙ୍କ ଦଳର ବିନୋଦ ବାବାଗଞ୍ଜ ଆସନରୁ ବିଜୟୀ ହୋଇଛନ୍ତି ।

ଧନଞ୍ଜୟ ସିଂ ପରାଜିତ

ଜୋନପୁର ମହ୍ଲାନୀ ଆସନରୁ ଲକି ଯାଦବଙ୍କଠାରୁ ପୁଣି ଥରେ ପରାଜିତ ହୋଇଛନ୍ତି ବାହୁବଳୀ ଧନଞ୍ଜୟ ସିଂହ । ଲକି ତାଙ୍କୁ ୧୭ ହଜାର ୫୨୭ ଭୋଟରେ ପରାସ୍ତ କରିଛନ୍ତି । ପ୍ରାରମ୍ଭିକ ଭୋଟ ଗଣତିରେ ଧନଞ୍ଜୟ ପ୍ରାୟ ୪ ହଜାର ଭୋଟ୍ ଆଗରେ ଥିଲେ । ହେଲେ ଏହାପରେ ସେ ଧିରେ ଧିରେ ପଛକୁ ପଛକୁ ଯାଇଥିଲେ । ଲକିଙ୍କୁ ୯୭ ହଜାର ୩୫୭ ଭୋଟ ମିଳିଥିବା ବେଳେ ଧନଞ୍ଜୟଙ୍କୁ ୭୯ ହଜାର ୮୩୦ ଭୋଟ ମିଳିଛି ।

​​​​​​ତୃତୀୟ ସ୍ଥାନରେ ରହିଲେ ବିଜୟ ମିଶ୍ରା

ଭଦୋହୀ ଜିଲ୍ଲାର ଜ୍ଞାନପୁର ଆସନରେ ପ୍ରାର୍ଥୀ ହୋଇଥିବା ବାହୁବଳୀ ବିଜୟ ମିଶ୍ରାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଜନତା । ତୃତୀୟ ସ୍ଥାନରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି । ନିଷାଦ ପାର୍ଟି ପ୍ରାର୍ଥୀ ବିପୁଲ ଦୁବେ ୭୩ ହଜାର ୪୪୬ ଭୋଟ ପାଇଁ ଏଠାରୁ ବିଜୟୀ ହୋଇଛନ୍ତି । ସାପା ପ୍ରାର୍ଥୀ କିଶୋର ବିନ୍ଦ ୬୭ ହଜାର ୨୧୫ ଭୋଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜୟଙ୍କୁ ୩୦ ହଜାର ୭୫୩ ଭୋଟ ମିଳିଛି ।

ରମାକାନ୍ତଙ୍କ ବିଜୟ

ଆଜମଗଡ଼ର ଫୁଲପୁର-ପଓ୍ବାଇ ଆସନରେ ବାହୁବଳୀ ରମାକାନ୍ତ ଯାଦବ ବିଜୟୀ ହୋଇଛନ୍ତି । ସେ ବିଜେପିର ରାମ ସୁରତଙ୍କୁ ହରାଇଛନ୍ତି । ସାପା ପ୍ରାର୍ଥୀ ଆଜମଗଡ଼ର ସବୁ ୧୦ଟି ଯାକ ଆସନରେ ବିଜୟୀ ହୋଇଛନ୍ତି । ଗତ ନିର୍ବାଚନରେ ଏହି ଆସନରୁ ରମାକାନ୍ତ ଯଦବଙ୍କ ପୁଅ ବିଜେପି ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି ।  

ବାହୁବଳୀଙ୍କ ପୁତୁରା ବିଜୟୀ

ଚାନ୍ଦୋଲିର ସୋୟଦରାଜା ଆସନରୁ ବାହୁବଳୀ ବ୍ରିଜେଶ ସିଂଙ୍କ ପୁତୁରା ସୁନୀଲ ସିଂ ୧୦ ହଜାର ୬୫୬ ଭୋଟରେ ମନୋଜ ସିଂଙ୍କୁ ପରାସ୍ତ କରିଛନ୍ତି । ସାପା ପ୍ରାର୍ଥୀ ମନୋଜ କିଛିଦିନ ପୂର୍ବେ କହିଥିଲେ ସୁନୀଲଙ୍କୁ ଯେତିକି ଭୋଟ ମିଳିବ ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ତାଙ୍କୁ ହରାଇବେ ।

ବାହୁବଳୀଙ୍କ ପତ୍ନୀ ପରାଜିତ

ଅଯେଧ୍ୟାର ଗୋସାଇଗଞ୍ଜ ଆସନରୁ ବାହୁବଳୀ ଖବୁ ତିଓ୍ବାରୀଙ୍କ ପତ୍ନୀ ଆରତୀ ତିଓ୍ବାରୀ ପରାଜିତ ହୋଇଛନ୍ତି । ସାପା ପ୍ରାର୍ଥୀ ଅଭୟ ସିଂ ତାଙ୍କୁ ୧୦ ହଜାର ୭୦୭ ଭୋଟରେ ପରାସ୍ତ କରିଛନ୍ତି । ଆରତୀଙ୍କୁ ୮୮ ହଜାର ୮୬୪ ଭୋଟ ମିଳିଥିବା ବେଳେ ଅଭୟଙ୍କୁ ୯୯ ହଜାର ୫୭୧ ଭୋଟ ମିଳିଛି ।

ମଦନ ଭୟା ଗଲେ ହାରି

ଗାଜିଆବାଦର ଲେନି ଆସନରୁ ବାହୁବଳୀ ମଦନ ଭୟାଙ୍କୁ ବିଜେପି ପ୍ରାର୍ଥୀ ନନ୍ଦକିଶୋର ଗୁଜର ୮ ହଜାର ୭୧୦ ଭୋଟରେ ପରାସ୍ତ କରିଛନ୍ତି । ନନ୍ଦକିଶୋରଙ୍କୁ ୧ ଲକ୍ଷ ୨୭ ହଜାର ୨୨୨ ଭୋଟ ମିଳିଥିବା ବେଳେ ମଦନଙ୍କୁ ୧ ଲକ୍ଷ ୧୮ ହଜାର ୫୧୨ ଭୋଟ ମିଳିଛି ।