spot_img

Latest Posts

ବୈତରଣୀ-ସାଳନ୍ଦୀ ବନ୍ୟା: ଉପରମୁଣ୍ଡରେ କମୁଛି, ତଳମୁଣ୍ଡରେ ବଢୁଛି ପାଣି; ୨୫ ପଞ୍ଚାୟତ ଜଳବନ୍ଦୀ

ନନ୍ଦିଘୋଷ ବ୍ୟୁରୋ: ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତିରେ ଉପରମୁଣ୍ଡରେ ସାମାନ୍ୟ ସୁଧାର ଆସିଥିବା ବେଳେ ତଳମୁଣ୍ଡରେ ଏବେବି ବଢୁଛି ପାଣି। ଧାମନଗର, ଚାନ୍ଦବାଲି, ତିହିଡ଼ି ଓ ଭଦ୍ରକ—ଏହି ୪ଟି ବ୍ଲକର ୨୫ଟି ପଞ୍ଚାୟତ ଏବେବି ବନ୍ୟା ଘେରରେ ରହିଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଆଜି ଜିଲ୍ଲାର ୨୦୫ଟି ସ୍କୁଲ ଓ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ମଧ୍ୟରେ ଜିଲ୍ଲାରେ ସର୍ପାଘାତରେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ତିହିଡ଼ି ବ୍ଲକର ତଳଗୋପବିନ୍ଧା ନିକଟ ନାଳିଆ ନଦୀରେ ସୃଷ୍ଟି ହୋଇଥିବା ଘାଇର ଶୀଘ୍ର ମରାମତି ପାଇଁ ଭଦ୍ରକ ଜିଲ୍ଲାପାଳ ଜଳସମ୍ପଦ ବିଭାଗକୁ ଚିଠି ଲେଖିଛନ୍ତି। ତିହିଡ଼ି ବ୍ଲକର ୧୦ଟି ଏବଂ ଭଦ୍ରକ ବ୍ଲକର ୪ଟି ପଞ୍ଚାୟତ ଏବେବି ପାଣି ଘେରରେ ରହିଛି। ଧାମନଗର ଓ ଚାନ୍ଦବାଲି ବ୍ଲକରେ ବୈତରଣୀ ନଦୀର ବନ୍ୟା ସ୍ଥିତି ଧୀରେଧୀରେ ସୁଧୁରୁଥିଲେ ମଧ୍ୟ ଅନେକ ପଞ୍ଚାୟତର ଗାଁଗୁଡ଼ିକ ଏବେବି ଜଳବନ୍ଦୀ ରହିଛି। ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥ ଧୋଇଯାଇଥିବାରୁ ଗତ ୧୦ ଦିନ ଧରି ବୈତରଣୀର ବନ୍ୟାଜଳ ସିଧାସଳଖ କ୍ଷେତ ଓ ଜନବସତିକୁ ପ୍ରବେଶ କରୁଛି। ଫଳରେ ୪ଟି ପଞ୍ଚାୟତର ୨୪ଟି ଗାଁ ଏବେବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ସେପଟେ, ଗତକାଲି ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ସହ ସ୍ଥାନୀୟ ବିଜେଡି ଟିମ୍ ଧାମନଗରର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନମାନଙ୍କ ସହ ଆଲୋଚନା କରିଥିଲେ।

Latest Posts

Don't Miss