କ୍ରାଇମସିଟି ପାଲଟିଲାଣି ବଲାଙ୍ଗୀର, ମାସେରେ ଗଡିଲାଣି ୧୦ରୁ ଅଧିକ ମୁଣ୍ଡ

1 min read

ବଲାଙ୍ଗୀର: ବଲାଙ୍ଗୀରରେ ବିଗିଡିଗଲାଣି ଆଇନଶୃଙ୍ଖଳା । ପାଲଟିଛି କ୍ରାଇମ ହଟସ୍ପଟ । କଥା କଥାରେ ଗଡୁଛି ମୁଣ୍ଡ । ପ୍ରତିଦିନ ଘଟୁଛି ଛୋଟ ବଡ ଅପରାଧ । ପୋଲିସକୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଚାଲିଛନ୍ତି ଅପରାଧୀ । ଗତ ମାସେ ମଧ୍ଯରେ ଗଡିଲାଣି ୧୦ରୁ ଅଧିକ ମୁଣ୍ଡ । କେବଳ ସପ୍ତାହେ ମଧ୍ୟରେ ଯାଇଛି ୫ ଜୀବନ । ମୁରିବାହାଲ ଥାନା ଅଞ୍ଚଳରେ ୪ ଜଣଙ୍କ ସନ୍ଦେହଜନକ ମୃତଦେହ ପୋଲିସ ଜବତ କରିଥିବା ବେଳେ ଅନରକିଲିଂ ଅଭିଯୋଗ ହୋଇଥିଲା I

ଗତ ୧୧ ତାରିଖରେ ସରଗାର୍ଡ ଗାଁରେ ମଦ କାରବାରକୁ କେନ୍ଦ୍ରକରି ଅରୁଣ ସାଏ ପଟେଲକୁ ଗାଁ ଦାଣ୍ଡରେ ମଦ ବେପାରୀ ବାପପୁଅ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ୧୨ ତାରିଖରେ ଚିମିନିଭାଟି ପଡାରେ ସୁଧ କାରବାର ଓ ଟଙ୍କା ନେଣଦେଣକୁ କେନ୍ଦ୍ରକରି ବିଚ ରାସ୍ତାରେ ମାରଣାସ୍ତ୍ର ଓ ଠେଙ୍ଗାରେ ଗୋଡାଇ ଗୋଡାଇ ଟ୍ରକ୍ ଡ୍ରାଇଭର ରାମ ଦାଶଙ୍କୁ ବୀଭତ୍ସ ହତ୍ୟା । ୧୩ରେ ମଧ୍ୟ ଜମି କାରବାରକୁ ନେଇ ମନୋଜ ନାଏକଙ୍କୁ କରାଯାଇଥିଲା ହତ୍ଯା । ୨୨ ତାରିଖରେ ମଧ୍ୟ ଘଟିଥିଲା ଆଉ ଏକ ହତ୍ୟାକାଣ୍ଡ । ଏସବୁ ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ପୋଲିସ ଓ ଅପରାଧିଙ୍କ ଭିତରେ ମଧୁଚନ୍ଦ୍ରିକା କାରଣରୁ ଅପରାଧିଙ୍କୁ ଅପରାଧ ଘଟାଇବାକୁ ଖୋରାକ ଯୋଗାଉଛି ବୋଲି କହିଛନ୍ତି ବଲାଙ୍ଗୀର ବାସୀ ।

ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ଅଣାୟତ୍ତ ହୋଇଥିବା ବେଳେ ରାଜ୍ୟ ସରକାର କ୍ରାଇମ୍ କଣ୍ଟ୍ରୋଲ କରିବାରେ ଫେଲ ମାରିଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ । ବେଳ ଥାଉଥାଉ ଅପରାଧି ଗ୍ୟାଙ୍ଗକୁ ସାବାଡ ନକଲେ ଆଗକୁ ବଲାଙ୍ଗୀର ଜିଲ୍ଲାରେ ଅପରାଧ ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ବଲାଙ୍ଗୀର ଏସ୍ପି କହିଛନ୍ତି, ସମସ୍ତ ଘଟଣାରେ ପୋଲିସ ସଫଳତା ସହ ଅପରାଧିକୁ ଗିରଫ କରି କୋର୍ଟଚାଲାଣ କରିଛି ।