ବାଲେଶ୍ବରରେ ଜମୁଛି ପ୍ରଚାର

1 min read

ବାଲେଶ୍ବର: ବଢୁଛି ତାତି। ତାତି ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାଘାତ ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁ ମଧ୍ୟ ନିର୍ବାଚନ ପରିବେଶ ପ୍ରଭାବିତ ହେଉଛି। ପ୍ରାର୍ଥୀମାନେ ସକାଳେ ଓ ସଞ୍ଜରେ ପ୍ରଚାର କରିବାକୁ ପସନ୍ଦ କରୁଛନ୍ତି। ଦ୍ବିପ୍ରହରରେ ଲୋକେ ଘରୁ ବାହାରକୁ ବାହାରୁ ନଥିବାରୁ ପ୍ରଚାର ବନ୍ଦ ରହୁଛି। ହେଲେ ବିଜେଡିର କହିବା କଥା, ଖରା ବର୍ଷା ଆମ ପାଇଁ ସବୁ ସମାନ।

ବଢି ଚାଲିଛି ତାପମାତ୍ରା । ଡ଼ହ ଡ଼ହ ଖରାରେ ସିଜୁଛି ବାଲେଶ୍ବର ସାଙ୍ଗକୁ ସାରା ଓଡ଼ିଶା । ସକାଳ ସାଢେ ୮ଟା ପରେ ଘରୁ ବାହାରିବା ମୁସ୍କିଲ । ଗ୍ରୀଷ୍ମ ପ୍ରବାହକୁ ଦେଖି ବଦଳିଛି ନିର୍ବାଚନ ତରିକା । କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ସାକାଳୁ ସକାଳୁ ଆରମ୍ଭ କରିଦେଉଛନ୍ତି ପ୍ରଚାର । ଲୋକଙ୍କ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଯୋଗାଡ଼ କରିବାକୁ କରୁଛନ୍ତି ପ୍ରୟାସ। ପୁଣି ସଂନ୍ଧ୍ୟାରେ ଚାଲୁଛି ଡ଼ୋର-ଟୁ-ଡ଼ୋର କ୍ୟାମ୍ପେନ୍। ସେହିପରି ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଢଙ୍ଗୀ ମଧ୍ୟ ସକାଳେ ପ୍ରଚାରକୁ ପସନ୍ଦ କରୁଛନ୍ତି । କର୍ମୀ ସମ୍ମିଳନୀ, ବୁଥ୍ କମିଟି ବୈଠକ, ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ କରି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ପ୍ରତାପ । ଆଉ ସଞ୍ଜ ପରେ ଲୋକଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ କରୁଛନ୍ତି ଆଲୋଚନା। ହେଲେ ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିହାରଙ୍କ କଥା ଅଲଗା । ତାଙ୍କ କହିବା କଥା, ସବୁ ପରିସ୍ଥିତିରେ ଲୋକଙ୍କ ପାଇଁ କାମ କରିବାକୁ ପ୍ରେରଣା ପାଇଛୁ । ତେଣୁ ଖରାରେ ଲୋକଙ୍କ ନିକଟକୁ ଯିବା ଆମର କର୍ତ୍ତବ୍ଯ ବୋଲି କହିଛନ୍ତି ଲୋଖାଶ୍ରୀ ।

ବାହାର ତାତି ସାଙ୍ଗକୁ ତାଳ ଦେଇ ବଢୁଛି ନିର୍ବାଚନ ତାତି । ସେପଟେ ଗରମ ପାଇଁ ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଚଳିତ ବର୍ଷ ସହରରେ ସର୍ବାଧିକ ତାପମାତ୍ରା ୪୬ ଡ଼ିଗ୍ରୀରେ ପହଞ୍ଚିଥିଲା । ଆଦ୍ରତା ୪୫ ପ୍ରତିଶତ ଥିବାରୁ ତାପମାତ୍ରା ୪୭ ଡ଼ିଗ୍ରୀ ଭଳି ଅନୁଭବ ହୋଇଥିଲା । ମାତ୍ରାଧିକ ତାପମାତ୍ରା ବୃଦ୍ଧି ପ୍ରଚାର ସାଙ୍ଗକୁ ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି । ତେବେ ଥଣ୍ଡା ପାନୀୟ ଦୋକାନରେ ଓ ଆଖୁ ରସ ଓ ଜୁସ ଦୋକାନରେ ଭିଡ଼ ଜମିବା ସହ ଚାଲୁଛି ରାଜନୈତିକ ଚର୍ଚ୍ଚା ।