ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା, ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା

ବାଲେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୦୭ରୁ ଅଧିକ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅଧିକାରୀ କହିଛନ୍ତି । ବଗି ତଳେ କିଛି ମୃତଦେହ ଚାପି ହୋଇରହିଥିବା ସୂଚନା । ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ସେହିପରି ୯୦୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ – ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ମୋଟ୍ ୧୭ଟି ବଗି ଲାଇନଚ୍ୟୁତ ହୋଇଥିଲା ।