ଆଜିଠୁ ୩ମାସ ଯାଏ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡ଼ା :  ଆଜିଠୁ ୩ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି । ଏହାକୁ ଆଖି ଆଗରେ ରଖି ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ସମୟ ଭିତରେ ଦେଶ ବିଦେଶରପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ। ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧନ୍ତି । ନଦୀକୂଳ ଠାରୁ ଜୁଆର ଛୁଇଁପାରୁନଥିବା ନିରାପଦ ସ୍ଥାନରେ ବସାବାନ୍ଧି ଅଣ୍ଡା ଦେଇଥାନ୍ତି । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି । ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।