ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ: ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ। ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶ୍ରୀକୃଷ୍ଣ ଜନ୍ମନୀତି ଓ  ନନ୍ଦଉତ୍ସବ ନୀତି ପରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ ହେବାକୁ ଯାଉଅଛି। ଏ ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ। ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ଏହି ପରମ୍ପରାକୁ ସ୍ମରଣ କରି ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ ।

ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯିବ । ପରେ ପରେ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ବଡ଼ଛତା ନିକଟରେ କୋଳି ବିକା ନୀତି ସମ୍ପନ୍ନ କରିବା ପରେ ସନ୍ଧ୍ୟାଧୂପରେ ବନଭୋଜି ବେଶ ସହ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି ଅନୁଷ୍ଠିତ ହେବ । ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବ ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ । ଏହାଛଡ଼ା ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଇ ବାଛୁରୀ ଦଣ୍ତାୟମାନ ଅବସ୍ଥାରେ ରଖାଯାଇଥାଏ । ଆଜି ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ, ଆସନ୍ତାକାଲି କାଳୀୟଦଳନ ବେଶ ଓ ପରେ ପ୍ରଳମ୍ୱାଶୁର ବଧ ଓ ତ୍ରୟୋଦଶୀରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି । ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି ।