spot_img

Latest Posts

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ : ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି। ଏହି ପରମ୍ପରାକୁ ସ୍ମରଣ କରି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ।

ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯାଏ। ପରେ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ବଡ଼ଛତା ନିକଟରେ କୋଳି ବିକା ନୀତି ସମ୍ପନ୍ନ କରିବା ପରେ ସନ୍ଧ୍ୟାଧୂପରେ ବନଭୋଜି ବେଶ ସହ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବା ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ।

ଏହାଛଡ଼ା ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଇ ବାଛୁରୀ ଦଣ୍ତାୟମାନ ଅବସ୍ଥାରେ ରଖାଯାଇଥାଏ। ଆଜି ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି କାଳୀୟଦଳନ ବେଶ ଓ ପରେ ପ୍ରଳମ୍ୱାଶୁର ବଧ ବେଶ ଓ ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି।

Latest Posts

Don't Miss