ଶେଖ ହସିନା ସରକାର ପତନର ୧୮ ମାସ ପରେ ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟିଂ
ନନ୍ଦିଘୋଷ ବ୍ୟୁରୋ: ଆଜି ଭୋଟ ଦେଉଛି ବାଂଲାଦେଶ । ୨୦୨୪ ଅଗଷ୍ଟରେ ଶେଖ ହସିନା ସରକାରର ପତନର ଦୀର୍ଘ ୧୮ ମାସ ପରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଛାତ୍ର ଆନ୍ଦୋଳନ ନିଆଁରେ ହସିନା ସରକାରର ପତନ ହୋଇଥିଲା । ଏହା ପରେ ୧୮ ମାସ ଧରି ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ମଧ୍ୟବର୍ତ୍ତୀକାଳୀନ ସରକାର ଚାଲିଥିଲା ।
ଦେଶର ତ୍ରୟୋଦଶତମ ସାଧାରଣ ନିର୍ବାଚନ ହୋଇଥିବା ବେଳେ ୮୪ ପଏଣ୍ଟ ସଂସ୍କାର ପ୍ୟାକେଜ ଆଧାରରେ ୨୯୯ ଆସନ ପାଇଁ ଏହି ନିର୍ବାଚନ ହେଉଛି । ସକାଳ ୧୧ଟା ସୁଦ୍ଧା ଦେଶରେ ୧୪.୯୬ ପ୍ରତିଶତ ମତଦାନ ହୋଇଛି । ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଓ ବିଏନପି ମୁଖ୍ୟ ତାରିକ ରେହମାନ ନିଜ ବୁଥରେ ଭୋଟ ଦେଇଛନ୍ତି । ନିର୍ବାଚନରେ ଶେଖ ହସିନାଙ୍କ ପାର୍ଟି ଭାଗ ନେଇ ନାହିଁ। କାରଣ ଆବାମୀ ଲିଗକୁ ବ୍ୟାନ କରାଯାଇଛି ।
ସକାଳ ସାଢ଼େ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ସାଢ଼େ ୪ଟା ଯାଏଁ ମତଦାନ ଚାଲିବ । ମୋଟ ୫୦ଟି ପାର୍ଟି ନିର୍ବାଚନ ମୈଦାନରେ ଲଢେଇ କରୁଛନ୍ତି । ପ୍ରାୟ ୨ ହଜାର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସୁରୁଖୁରୁରେ ନିର୍ବାଚନ ଶେଷ କରିବାକୁ ଏକ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଆଜିର ନିର୍ବାଚନରେ କ୍ଷମତା ରେସର ଆଗରେ ଅଛନ୍ତି ବିଏନପି ପାର୍ଟିର ତାରିକ ରେହମାନ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ । ଅଳ୍ପ ଦିନ ଆଗରୁ ସେ ୧୭ ବର୍ଷର ନିର୍ବାସନରୁ ଦେଶକୁ ଫେରିଛନ୍ତି । ନିର୍ବାଚନକୁ ନେଇ ଭାରତୀୟ ଏକ୍ସପର୍ଟ କହିଛନ୍ତି, ଯେ ବାସ୍ତବତାକୁ ଗ୍ରହଣ କରିବାକୁ ପଡିବ । ବିଏନପି ଆସିଲେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି । ଯଦି ଜମାତ ଏ ଇସଲାମୀ କ୍ଷମତାକୁ ଆସେ ତେବେ ଭାରତ ସହତି ସଂପର୍କ ବିଗିଡ଼ିବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

