ବାଂଲାଦେଶରେ ବି ହେବ ଶ୍ରୀଲଙ୍କା ଭଳି ସ୍ଥିତି, ହାତରେ ଅଛି ମାତ୍ର ୫ ମାସ

1 min read

ବାଂଲାଦେଶ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଏବେ ସ୍ଥିତି ଜଟିଳ । ସେଠାରେ ସରିଯାଇଛି ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଦେଖାଦେଇଛି ଭୟଙ୍କର ଆର୍ଥିକ ସଙ୍କଟ । ଦେଶରେ ମୁଦ୍ରାସ୍ଫୀତି ତଳକୁ ଖସିଛି । ଖାଲି ହୋଇଯାଇଛି ବିଦେଶୀ ଭଣ୍ଡାର ।

ଶ୍ରୀଲଙ୍କା ପରେ ଏବେ ବାଂଲାଦେଶ ବି ଏହି ଅବସ୍ଥା ଭୋଗିବାକୁ ଯାଉଛି । ବାଂଲାଦେଶରେ ଆଗକୁ ଆସୁଛି ଭୟଙ୍କର ଆର୍ଥିକ ସଙ୍କଟ ଭଳି ସ୍ଥିତି ।  ସେଠାରେ ଖରାପ ହେବାକୁ ବସିଲାଣି ଆର୍ଥିକ ସ୍ଥିତି । ଅନ୍ତର୍ଜାତୀୟ ବଜାରରେ ଆବଶ୍ୟକୀୟ ସାମଗ୍ରୀ, କଞ୍ଚାମାଲ ଓ ଇନ୍ଧନର ମୂଲ୍ୟ  ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଏହାର ସିଧା ପ୍ରଭାବ ପଡ଼ିଛି ବାଂଲାଦେଶରେ । ଗତବର୍ଷ ଜୁଲାଇରୁ ଏ ବର୍ଷ ମାର୍ଚ୍ଚ ମଧ୍ୟରେ ବାଂଲାଦେଶର ଖର୍ଚ୍ଚ ୪୪ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି ।

ଆଗକୁ ଯଦି ଏଭଳି ପରିସ୍ଥିତି ଜାରି ରହେ ତାହାଲେ ଏହାର ଅବସ୍ଥା ଶ୍ରୀଲଙ୍କା ଭଳି ହୋଇଯିବ ବୋଲି ଅନୁମାନ କରାଯାଉଛି । ଏହା ମାତ୍ର ୫ ମାସରେ ହୋଇଯିବ ବୋଲି ଏବେର ସ୍ଥିତିରୁ ଆକଳନ କରାଯାଉଛି । ଦେଶରେ ସମସ୍ତ ବୈଦେଶିକ ମୁଦ୍ରା ସରିଯିବା ଫଳରେ ଅନ୍ୟ ଦେଶରୁ ଖାଦ୍ୟ ଆମଦାନୀ ବି କରିପାରିବନି । ଏହା ଫଳରେ ଲୋକଙ୍କ ମଧ୍ୟରେ ଖାଦ୍ୟର ଘୋର ସଙ୍କଟ ଦେଖାଦେବ । ଏହା ପରେ ଅର୍ଥତୀତି ପୂରା ଭୁଷୁଡ଼ିପଡ଼ିବ । ଏବେଠୁ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ଅର୍ଥନୀତି ବିଶେଷଜ୍ଞ ।

ଏବେ ବାଂଲାଦେଶ ପାଖରେ ରହିଛି ୪୨ ଅରବ ଆମେରିକା ଡଲାର୍ । କିନ୍ତୁ ଏ ନେଇ ଅନ୍ତର୍ଜାତୀୟ ମୁଦ୍ରା କୋଷ ବା IMF ବାଂଲାଦେଶ ଉପରେ ଚାପ ପକାଉଛି । IMF କହୁଛି ଯେ, ସେମାନେ ଏହି ବିଦେଶୀ ମୁଦ୍ରାର ସଠିକ୍ ଗଣନା କରନ୍ତୁ । ଯଦି ବାଂଲାଦେଶ IMF ର କଥା ମାନେ ତାହାଲେ କ୍ରେଡିଟ ଫଣ୍ଡ, ସରକାରୀ ଯୋଜନା, ଶ୍ରୀଲଙ୍କାକୁ ଦିଆଯାଇଥିବା ରାଶି ଏବଂ ସୋନାଲୀ ବ୍ୟାଙ୍କ ଯାହା ବାଂଲାଦେଶର ସରକାରୀ ବ୍ୟାଙ୍କରେ ଜମା ରାଶି ଛାଡ଼ି, ବାକି ଥିବା ବିଦେଶୀ ମୁଦ୍ରାର ଗଣତି କରିବାକୁ ପଡ଼ିବ ।

ଏ ନେଇ କୁହାଯାଉଛି ଯେ, ଯଦି ଏହି ଗଣନା କରାଯାଏ ତାହାଲେ ବାଂଲାଦେଶ ବୈଦେଶିକ ମୁଦ୍ରା ଭଣ୍ଡାରରେ ୭ ଅରବ ଡଲାର୍ କମ୍ ହୋଇପାରେ । ଯାହାଫଳରେ ସ୍ଥିତି ଆହୁରି ଖରାପ ହୋଇପାରେ ।