ନନ୍ଦିଘୋଷ ବ୍ୟୁରୋ :ବାଂଲାଦେଶରେ ପୁଣି ତେଜିଲା ଉତ୍ତେଜନା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ଆଜି ପ୍ରକାଶ ପାଇବ ରାୟ। ଢାକାର ଟ୍ରିବ୍ୟୁନାଲ ଅଦାଲତରେ ହେବ ଶୁଣାଣି। ରାୟ ଆସିବା ପୂର୍ବରୁ ରାଜଧାନୀ ଢାକାରେ ତେଜିଛି ଉତ୍ତେଜନା। ଗତକାଲି କିଛି ସ୍ଥାନରେ ବିସ୍ଫୋରଣର ଖବର ମିଳିଛି।ହିଂସାକାଣ୍ଡକୁ ଦେଖି ଦୋକାନ ବଜାର ବନ୍ଦ ରହିଛି। ଅନେକ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଉତ୍ତେଜନାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ।
ବାଂଲାଦେଶ ରାଜନୈତିକ ଇତିହାସର ସବୁଠାରୁ ଉତ୍ତେଜନାପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗ ସାରା ଦେଶରେ ଅସ୍ଥିରତା ବୃଦ୍ଧି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଜି ରାୟ ଆସିବ। ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ବିସ୍ଫୋରଣ ସୂଚନା ମିଳିଛି। ଶେଖ ହାସିନାଙ୍କ ପାର୍ଟି ଆୱାମୀ ଲିଗ ପକ୍ଷରୁ ଦେଶରେ ବନ୍ଦ ପାଳନ କରାଯାଉଛି। ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ନିର୍ଦ୍ଦେଶ।
ଶେଖ ହାସିନାଙ୍କ ପୁଅ ଏବଂ ପ୍ରମୁଖ ପରାମର୍ଶଦାତା, ସଜୀବ ୱାଜେଦ (ଜୋୟ) କହିଛନ୍ତି,ଯଦି ମଧ୍ୟବର୍ତ୍ତୀକାଳୀନ ସରକାର ଆୱାମୀ ଲିଗ ଉପରେ ପ୍ରତିବନ୍ଧକ ଉଠାଇବା ପାଇଁ ପଦକ୍ଷେପ ନ ନିଏ, ତେବେ ତାଙ୍କ ସମର୍ଥକମାନେ ଫେବୃଆରୀରେ ହେବାକୁ ଥିବା ଜାତୀୟ ନିର୍ବାଚନକୁ ଅନୁମତି ଦେବେ ନାହିଁ। ସେ ସମସ୍ତ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ମିଥ୍ୟା ବୋଲି କ୍ରମାଗତ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି, ୧୫ ଜୁଲାଇରୁ ୫ ଅଗଷ୍ଟ, ୨୦୨୪ ମଧ୍ୟରେ ହୋଇଥିବା ପ୍ରତିବାଦ ଦେଶକୁ ଏକ ଯୁଦ୍ଧ ପରିସ୍ଥିତିରେ ପକାଇ ଦେଇଥିଲା। ଏହି ତିନି ସପ୍ତାହ ମଧ୍ୟରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ଦ୍ୱାରା ଗୁଳିଚାଳନା ଯୋଗୁ ଅନେକ ମୃତ୍ୟୁ ଘଟିଛି। ଏହି ହିଂସାକୁ ୧୯୭୧ ସ୍ବାଧୀନତା ଆନ୍ଦୋଳନ ପରେ ସବୁଠାରୁ ଗମ୍ଭୀର ବୋଲି ବିବେଚନା କରାଯାଏ। ବାଂଲାଦେଶର ୨୪୦ ବିଲିୟନ ଡଲାରର ପୋଷାକ ଶିଳ୍ପ, ଦେଶର ସବୁଠାରୁ ବଡ଼ ଆର୍ଥିକ ନିର୍ଭରଶୀଳତା ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।
ଶେଖ ହାସିନା ଅଗଷ୍ଟ ୨୦୨୪ରେ ଦେଶ ଛାଡିବା ପରେ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଛନ୍ତି। ସଜୀବ ୱାଜେଦ କହିଛନ୍ତି, କୋର୍ଟର ନିଷ୍ପତ୍ତି ପୂର୍ବ ନିର୍ଦ୍ଧାରିତ ମନେ ହେଉଛି ଏବଂ ଦଣ୍ଡ ବହୁତ କଠୋର ହୋଇପାରେ। ଭାରତ ସରକାର ହାସିନାଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରୁଛନ୍ତି ଏବଂ ତାଙ୍କୁ ରାଷ୍ଟ୍ରମୁଖ୍ୟ ଭାବରେ ବ୍ୟବହାର କରାଯାଉଛି।

